୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଳନ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୯।୩(ବ୍ୟୁରୋ): ସମୟ ସହ ତାଳ ଦେଇ ଯୁବଗୋଷ୍ଠୀ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ପୂର୍ବପୁରୁଷଙ୍କ ବିଷୟରେ ଜାଣିବା ଆବଶ୍ୟକ। ଏହିସବୁ ଘଟଣାବଳୀକୁ ବହୁଳ ଭାବେ ପ୍ରଚାର କରାଯିବା ଦରକାର। ଏଥିସହ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାର ପରିଚାଳନା କରିଥିବା କମ୍‌ ଜଣାଶୁଣା ମହାପୁରୁଷଙ୍କ ବିଷୟକୁ ମଧ୍ୟ ଲୋକଲୋଚନକୁ ଆଣିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୭୫ ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଳନ ପ୍ରସ୍ତୁତି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପରାମର୍ଶ ଦେଇଛନ୍ତି। ଏଥିସହିତ ଦେଶ ବାହାରେ ମଧ୍ୟ ବହୁ ଘଟଣା ଘଟିଛି, ସେଗୁଡିକୁ ମଧ୍ୟ ଏଥିରେ ସାମିଲ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆନ୍ତରିକତାର ସହ ଜାତିରପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଭାରତୀୟ ସମ୍ବିଧାନରେ ସାମିଲ ହୋଇଥିବା ଭାରତ ସ୍ବାଧୀନତାର ମୂଳମନ୍ତ୍ରର ମୂଲ୍ୟବୋଧକୁ ପ୍ରଚାର କରିବାର ଆବଶ୍ୟକତା ରହିଛି। ନ୍ୟାୟ ଓ ସମାନତା ଯାହାକି ସ୍ବାଧୀନତାର ମୂଳମନ୍ତ୍ର ଥିଲା ତାହା ବର୍ତ୍ତମାନ ସମୟରେ ମଧ୍ୟ ପୁନଃ ପ୍ରଚାରିତ ହେବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ୭୫ ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଳନ ଉତ୍ସବରେ ସମସ୍ତ ଭାରତୀୟ ଏବଂ ବିଶ୍ୱର କୋଣଅନୁକୋଣରେ ରହୁଥିବା ଭାରତୀୟମାନେ ଯେପରି ଯୋଡିହେବେ ସେ ନେଇ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଛନ୍ତି। ସ୍ବାଧୀନତା ଦିବସ ପାଳନ ସମାରୋହ ଆୟୋଜନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

Share