Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ଲାଗି ପ୍ରସ୍ତୁତି

ଡେରାଡୁନ୍‌,୮।୩: ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କୁ ହଟାଇବା ପାଇଁ ଦାବି ତୀବ୍ର ହେବାରେ ଲାଗିଛି। ଭାଜପାର ଅସନ୍ତୁଷ୍ଟ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଲାଗି ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ୪ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ସେମାନଙ୍କ ମଧ୍ୟରେ ଧନ ସିଂ ରାଓ୍ବତ ଏବଂ ଧନପାଳ ମହାରାଜଙ୍କୁ ନେଇ ଅଧିକ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଯଦି ଏହି ଦୁଇଜଣଙ୍କ ନାମ ନେଇ କୌଣସି ସହମତି ନ ହୁଏ, ତେବେ ପରବର୍ତ୍ତୀ ସମୟରେ ହାଇକମାଣ୍ଡଙ୍କ ପକ୍ଷରୁ ନୈନିତାଲ ଏମ୍‌ପି ଅଜୟ ଭଟ୍ଟ ଏବଂ ରାଜ୍ୟ ସଭା ଏମ୍‌ପି ଅନୀଲ ବଲୁନିଙ୍କ ନାମ ଉପରେ ଚର୍ଚ୍ଚା କରାଯାଇପାରେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଅଭିଯୋଗ ମିଳିବା ପରେ ହାଇକମାଣ୍ଡ ଡ.ରମଣ ସିଂ ଏବଂ ଦୁଷ୍ମନ୍ତ ଗୌତମଙ୍କୁ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟକୁ ପଠାଇଥିଲେ। ପର୍ଯ୍ୟବେକ୍ଷକ କୋର୍‌ କମିଟିର ରାୟ ନେବା ପରେ ଦିଲ୍ଲୀ ଫେରିଛନ୍ତି। ସେମାନେ ରିପୋର୍ଟ ଉପସ୍ଥାପନା କରିବା ପରେ ହାଇକମାଣ୍ଡ ପରବର୍ତ୍ତୀ ନିଷ୍ପତ୍ତି ନେବେ। ୨୦୨୨ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ତେଣୁ ଏହା ପୂର୍ବରୁ ଅସନ୍ତୁଷ୍ଟଙ୍କୁ ଚୁପ୍‌ କରାଇବା ଲାଗି ହାଇକମାଣ୍ଡ ଯୋଜନା କରୁଛନ୍ତି।

Share