Categories: ଜାତୀୟ

୯ଟି ଷ୍ଟାଡିୟମରେ ଅସ୍ଥାୟୀ ଜେଲ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୨୭।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ଦିଲ୍ଲୀ ଚାଲୋ ଅଭିଯାନ ଆରମ୍ଭ କରିଛନ୍ତି। ପଞ୍ଜାବ ଠାରୁ ଆରମ୍ଭ କରି କେରଳ ଯାଏ ସବୁଆ ଚାଷୀଙ୍କ ରଣହୁଙ୍କାର ଦେଖିବାକୁ ମିଳିଛି। ଲକ୍ଷ ଲକ୍ଷ ଚାଷୀ ଶୋଭାଯାତ୍ରାରେ ଦିଲ୍ଲୀ ବାହାରିଥିବା ବେଳେ ସେମାନଙ୍କୁ ବିଭିନ୍ନ ରାଜ୍ୟରେ ପୋଲିସ ଆକ୍ରୋଶର ଶିକାର ହେବାକୁ ପଡିଛି। ଏହିକ୍ରମରେ ପଞ୍ଜାବ-ହରିଆଣା ସୀମାରେ ଚାଷୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ହରିଆଣାର ଅମ୍ବାଲା ବ୍ରିଜ ଦେଇ ଚାଷୀମାନେ ଦିଲ୍ଲୀ ଯିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପୋଲିସ ଅଟକାଇ ଥିଲା। ଏହାପରେ ସେଠାରେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଛି। ଚାଷୀମାନେ ବ୍ୟାରିକେଡକୁ ବ୍ରିଜ ତଳ ନଦୀକୁ ଫିଙ୍ଗି ଆଗକୁ ବଢୁଥିବା ବେଳେ ପୁଲିସ ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ ଓ ପାଣି ମାଡ କରିଛି। ତଥାପି ଚାଷୀମାନେ ଏହାକୁ ବେଖାତିର କରି ଆଗକୁ ମାଡି ଚାଲିଛନ୍ତି। ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ୯ଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲ କରିବାକୁ ଦିଲ୍ଲୀ ସରକାରଙ୍କଠାରୁ ଅନୁମତି ମାଗିଛି। କରୋନା ସମୟରେ କୃଷକମାନଙ୍କୁ ଗିରଫ କରାଯାଉଛି। ସେମାନଙ୍କୁ ଗୋଟିଏ ସ୍ଥାନରେ ରଖାଯାଇପାରିବ ନାହିଁ, ଏତେ ସଂଖ୍ୟକ ଷ୍ଟାଡିୟମରେ ଅସ୍ଥାୟୀ ଜେଲ ହେବ ବୋଲି କୁହାଯାଇଛି।

Share