ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଟୀକା ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ବୋଲି ମଙ୍ଗଳବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
କରୋନା ଟୀକା ଆସିଲେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ବୟସ୍କ ବ୍ୟକ୍ତି ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ବୟସ୍କମାନଙ୍କୁ ପ୍ରାଥମିକତା ଦିଆଯିବ। କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ ଟୀକା ଦେବାକୁ ଆଗୁଆ ନିଜ ନାମକୁ ପଞ୍ଜିକରଣ କରିବାକୁ ହେବ। ସ୍ପଟ୍ ପଞ୍ଜିକରଣ ହେବ ନାହିଁ। କେବଳ ପୋର୍ଟାଲରେ ପଞ୍ଜିକରଣ ହେବ ବୋଲି ସେ କହିଛନ୍ତି।
ଟିକାକରଣକୁ ସୁବ୍ୟବସ୍ଥିତ କରିବା ଲାଗି ରାଜ୍ୟସ୍ତରରୁ ବ୍ଲକ ପର୍ଯ୍ୟନ୍ତ ଟାସ୍କଫୋର୍ସ ଗଠନ କରାଯାଇଛି। ଗୋଟିଏ କେନ୍ଦ୍ରରେ ଶହେରୁ ୨ଶହ ଲୋକଙ୍କୁ ଟୀକା ଦିଆଯିବ। ପରିଚୟ ପତ୍ର ଦେଇ କେହି ବି ନିଜର ପଞ୍ଜିକରଣ କରିପାରିବେ।