ଗ୍ରୀନ କାର୍ଡ ଧାରକଙ୍କୁ ସୁବିଧା ପ୍ରଦାନ ଲାଗି ପ୍ରସ୍ତୁତି: ବାଇଡେନ ସରକାରଙ୍କୁ ଅପିଲ…

ଓ୍ବାଶିଂଟନ,୨୯।୭ : ଆମେରିକାର ଗ୍ରୀନ କାର୍ଡ ଆବେଦନକାରୀଙ୍କ ବ୍ୟାକଲଗ ହଟାଇବା ପାଇଁ କାର୍ଯ୍ୟନିର୍ବାହୀ ପଦକ୍ଷେପ ନେବାକୁ ଆମେରିକାର କେତେକ ସାଂସଦ ଗୋଷ୍ଠୀ ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଅପିଳ କରିଛନ୍ତି। ୨୦୨୦ ମସିହାରେ, ଗ୍ରୀନ କାର୍ଡ ପାଇଁ ଆବେଦନ କରିଥିବା ଭାରତୀୟଙ୍କର ଅପେକ୍ଷା ସମୟ ସୀମା ୧୯୫ ବର୍ଷ ବୋଲି କୁହାଯାଉଛି। ଆମେରିକାର ସାଂସଦମାନେ ଏହା ଉପରେ ଉଦବେଗ ପ୍ରକାଶ କରିଛନ୍ତି।
ଭାରତୀୟ-ଆମେରିକୀୟ କଂଗ୍ରେସ କର୍ମୀ ରାଜା କୃଷ୍ଣମୂର୍ତ୍ତି ଏବଂ ଲ୍ୟାରି ବୁଶନଙ୍କ ନେତୃତ୍ୱରେ ୫୬ ଜଣ ସାଂସଦଙ୍କ ଏକ ଦ୍ୱିପାକ୍ଷିକ ଦଳ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ଗୃହ ସୁରକ୍ଷା ସଚିବ ଆଲେଜାଣ୍ଡ୍ରୋ ମାୟୋରକୋସଙ୍କୁ ଏନେଇ ଚିଠି ଲେଖିଛନ୍ତି।

ଏହି ଚିଠିରେ ’ଫାଉଣ୍ଡେଶନ ଫର ଇଣ୍ଡିଆ ଆଣ୍ଡ ଇଣ୍ଡିଆନ ଡାଏସପୋରା ଷ୍ଟଡିଜ’ ଉଚ୍ଚମାନର ଗ୍ରୀନ କାର୍ଡ ଆବେଦନକାରୀଙ୍କୁ ରିହାତି ପ୍ରଦାନ କରିବାକୁ ଏବଂ ଚାକିରି ପାଇଁ ଆବେଦନକାରୀଙ୍କ ତାରିଖକୁ ‘ସାମ୍ପ୍ରତିକ’ ଭାବରେ ପ୍ରକାଶ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ବହୁ ସଂଖ୍ୟକ ଗ୍ରୀନ କାର୍ଡଧାରୀ ଆମେରିକାରେ କାମ କରନ୍ତି, ଏଭଳି ପରିସ୍ଥିତିରେ, ଏତେ ଲମ୍ବା ବ୍ୟାକଲଗ ଯୋଗୁଁ ଆମେରିକା ସରକାର ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବ୍ୟାକଲଗ କାରଣରୁ, ଆମେରିକା ଉଚ୍ଚଶିକ୍ଷିତ କର୍ମଚାରୀଙ୍କ ଅଭାବର ସମ୍ମୁଖୀନ ହେଉଛି। ଆମେରିକାରେ ଗ୍ରୀନ କାର୍ଡରେ କାର୍ଯ୍ୟ କରୁଥିବା ଏସଟିଇଏମ କର୍ମଚାରୀ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ) ଆମେରିକାର ଟେକ୍ନୋଲୋଜି ଜଗତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଆମେରିକାର ବଡ କମ୍ପାନୀଗୁଡିକ ପ୍ରତିବର୍ଷ ଭାରତ ଏବଂ ଚାଇନାର ହଜାର ହଜାର ଯୁବକଙ୍କୁ ଏଚ-୧ବି ଭିଜା କିମ୍ବା ଗ୍ରୀନ କାର୍ଡ ଦେଇ ଚାକିରି ଦିଅନ୍ତି। ଆମେରିକାରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ଗ୍ରୀନ କାର୍ଡ ଏବଂ ଏଚ-୧ ବି ଭିଜା ଆବେଦନକାରୀଙ୍କ ବ୍ୟାକଲଗ ଉପରେ ଉଦବେଗ ପ୍ରକାଶ କରିଛନ୍ତି। ଏହି କାରଣରୁ ଆମେରିକାର ସାଂସଦମାନେ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ କାର୍ଯ୍ୟର୍ନିବାହୀ ପଦକ୍ଷେପ ନେବାକୁ ବିଡେନ ସରକାରଙ୍କୁ ଦାବି କରିଛନ୍ତି।

Share