ଯୁଦ୍ଧ ପାଇଁ ପ୍ରସ୍ତୁତି: ବ୍ରିଟେନ୍‌ ତିଆରି କରିବ ୮୦ ନୂଆ ପରମାଣୁ ବୋମା

ଲଣ୍ଡନ,୧୭।୩: ଚାଇନା ସହିତ ବ୍ରିଟେନର ବିବାଦ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ୮୦ ନୂଆ ପରମାଣୁ ବୋମା ତିଆରି କରିବାକୁ ଯୋଜନା ରଖିଛି। ସମ୍ପ୍ରତି ବ୍ରିଟେନ୍‌ ପାଖରେ ୧୮୦ଟି ପରମାଣୁ ବୋମା ରହିଛି। ତେବେ ନୂଆ ବୋମା ପରେ ଏହି ସଂଖ୍ୟା ୨୬୦ରେ ପହଞ୍ଚିବ। ସେହିପରି ୨୦୩୦ ସୁଦ୍ଧା ଆତଙ୍କବାଦୀ ସଂଗଠନଗୁଡ଼ିକ ପାଖରେ ଜୈବିକ ଏବଂ ଆଣବିକ ଅସ୍ତ୍ରଶସ୍ତ୍ର ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏପରିସ୍ଥଳେ ସୁରକ୍ଷା ପାଇଁ ପରମାଣୁ ବୋମାର ଆବଶ୍ୟକତା ପଡ଼ିବ ବୋଲି ବ୍ରିଟେନ ଚିନ୍ତା କରୁଛି। ବ୍ରିଟେନର ବହିର୍ବ୍ୟାପାର ଏବଂ ପ୍ରତିରକ୍ଷା ନୀତି ସମୀକ୍ଷା ସମ୍ପର୍କରେ ଉଲ୍ଲେଖ ଥିବା ଏକ ୧୦୦ ପୃଷ୍ଠାର ଗୋପନୀୟ ରିପୋର୍ଟରେ ଏହା ସୂଚିତ ହୋଇଛି। ଚାଇନା ଏବଂ ରୁଷିଆ ଦ୍ୱାରା ସୃଷ୍ଟି ହେଉଥିବା ଆହ୍ବାନର ମୁକାବିଲା ଲାଗି ଏହି ନୂଆ ନୀତି ସମୀକ୍ଷା ରିପୋର୍ଟ ଅନୁସାରେ ବ୍ରିଟେନ ଏବେ ପରମାଣୁ ବୋମା ତିଆରି କରିବାର ପ୍ରତିବନ୍ଧକକୁ ହଟାଇବାକୁ ଯାଉଛି। ୧୯୮୯ରେ ଶୀତଳଯୁଦ୍ଧ ପରିସମାପ୍ତି ପରେ ଦୀର୍ଘ ୩୦ ବର୍ଷ ଧରି ବ୍ରିଟେନ ଆଣବିକ ନିରସ୍ତ୍ରିକରଣକୁ ଗୁରୁତ୍ୱ ଦେଉଥିବାବେଳେ ଏବେ ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ନିଜର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିବା ରିପୋର୍ଟରେ ଦର୍ଶାଯାଇଛି। ଖୁବ୍‌ ଶୀଘ୍ର ଦେଶ ୧୦ ଶହ କୋଟି ପାଉଣ୍ଡ ଏଥିରେ ବିନିଯୋଗ କରିବ।

Share