Categories: ଖେଳ

ଡ୍ୟୁକ୍‌ ବଲ୍‌ରେ ପ୍ରସ୍ତୁତି ସହାୟ ହୋଇଛି: କନ୍‌ଓ୍ବେ

ସାଉଥାମ୍ପଟନ,୨୪।୫(ପି.ଟି.): ଘରୋଇ ପରିବେଶରେ ଡ୍ୟୁକ୍‌ ବଲ୍‌ରେ ପ୍ରସ୍ତୁତି ବେଶ୍‌ ସହାୟ ହୋଇଛି ବୋଲି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେଭନ କନ୍‌ଓ୍ବେ କହିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଏଥିରୁ ଫାଇଦା ମିଳିବ। ଆଗାମୀ ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟଟିସି) ଫାଇନାଲ ମ୍ୟାଚ୍‌ରେ ମଧ୍ୟ ଏହା ଦ୍ୱାରା ଫାଇଦା ମିଳିବ ବୋଲି ସେ ବିଶ୍ୱାସ କରନ୍ତି। ଜୁନ୍‌ ୧୮ ତାରିଖରେ ସାଉଥାମ୍ପଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଡବ୍ଲ୍ୟୁଟିସି ଫାଇନାଲ ଆୟୋଜନ ହେବ। ତେବେ ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।
ନ୍ୟୁଜିଲାଣ୍ଡ ୨୦ ଜଣିଆ ଦଳରେ କନ୍‌ଓ୍ବେଙ୍କ ସମେତ ୩ ନବାଗତ ଖେଳାଳି ସାମିଲ ହୋଇଛନ୍ତି। ନ୍ୟୁଜିଲାଣ୍ଡ ଦଳ ଏବେ ଇଂଲଣ୍ଡରେ ରହି ଅଭ୍ୟାସ କରୁଛି। ଗସ୍ତ ପୂର୍ବରୁ ନ୍ୟୁଜିଲାଣ୍ଡର ଲିନକୋଲନ୍‌ରେ ଡ୍ୟୁକ ବଲ୍‌ରେ ଅଭ୍ୟାସ କରୁଥିଲୁ। ତେବେ ଘରୋଇ ସିରିଜରେ ନ୍ୟୁଜିଲାଣ୍ଡ କୋକାବୁରା ବଲ୍‌ରେ ଖେଳିଥିଲା। ଡ୍ୟୁକ ବଲ୍‌ରେ ଅଭ୍ୟାସ କରିବା ଦ୍ୱାରା ଆମେ ବେଶ୍‌ ଲାଭ ପାଇଥିଲୁ ବୋଲି ସେ କହିଛନ୍ତି। କୋକାବୁରା ଅପେକ୍ଷା ଡ୍ୟୁକ ବଲ୍‌ ଟିକିଏ ଅଧିକ ସୁଇଂ କରିଥାଏ। ତେଣୁ ପ୍ରସ୍ତୁତିରେ ଏହି ବଲ୍‌ ବେଶ୍‌ ସହାୟ ହୋଇଥାଏ ବୋଲି ସେ କହିଛନ୍ତି। ଡବ୍ଳ୍ୟୁଟିସି ଫାଇନାଲରେ ରବିଚନ୍ଦ୍ରନ ଅଶ୍ୱିନ ଓ ଅନ୍ୟ ସ୍ପିନରମାନଙ୍କର ସଫଳ ମୁକାବିଲା ପାଇଁ କନ୍‌ଓ୍ବେ ଧୂଳିଆ ପିଚ୍‌ରେ ବ୍ୟାଟିଂ ଅଭ୍ୟାସ କରି ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ଏହି ଇଂଲଣ୍ଡ ଗସ୍ତରେ ବହୁତ କିଛି ଶିକ୍ଷା କରିବାକୁ ମିଳିବ। ଟମ୍‌ ଲାଥମ ଓ ରସ୍‌ ଟେଲରଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ସହ ଖେଳିବା ନିଶ୍ଚିତ ଭାବେ ଏକ ଭଲ ଅଭିଜ୍ଞତା ଆଣିଦେବ। ଇଂଲଣ୍ଡର ଥଣ୍ଡା ପାଗ ସହ ଖାପ ଖୁଆଇବା ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିପାରିଲେ ଡବ୍ଲ୍ୟୁଟିସି ଫାଇନାଲରେ ଭାରତକୁ ସାମ୍ନା କରିବା ଆହୁରି ସହଜ ହେବ ବୋଲି କନ୍‌ଓ୍ବେ କହିଛନ୍ତି।