
ଦାରିଙ୍ଗବାଡି,୨୩।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଦାରିଙ୍ଗବାଡି ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ବିଭିନ୍ନ ପ୍ରତିଯୋଗିତା ତଥା ଚିତ୍ରାଙ୍କନ, ବକ୍ତୃତା,କୁଇଜ, ଗଳ୍ପ କଥନ, ପ୍ରବନ୍ଧ ଲିଖନ, ସଙ୍ଗୀତ ଓ ଦଳଗତ ନୃତ୍ୟ ଆଦି ପ୍ରଥମେ କ୍ଲଷ୍ଟର ସ୍ତରୀୟ ଓ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ବିଚାରକ ମଣ୍ଡଳୀ ଦ୍ୱାରା ଚୟନ କରାଯାଉଛି। ତେବେ ନିଜ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତା କରାଉଥିବା ବିଚାରକ ମଣ୍ଡଳୀ ନିଜ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମନୋନୀତ କରି ଚଞ୍ଚକତା କରାଯାଉଥିବା ଅଭିଯୋଗ ହୋଉଛି। ଏହି ଅଭିଯୋଗ ପରେ ମଧ୍ୟ ଏହାର ସମାଧାନ କରିବା ପରିବର୍ତ୍ତେ ପୁନଃଯାଞ୍ଚ କରାଯିବ କହି ବିଚାରକ ମଣ୍ଡଳୀ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।
ପ୍ରକାଶ ଯେ, ପ୍ରଥମ ଶ୍ରେଣୀରୁ ଦଶମ ଓ ଦ୍ୱାଦଶ ଏବଂ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା କରାଯାଉଥିବା ବେଳେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ପର୍ଯ୍ୟନ୍ତ ଚିତ୍ରାଙ୍କନରେ ଦାରିଙ୍ଗବାଡି ହିଲଭିୟୁ ପାର୍କର ଚିତ୍ରାଙ୍କନ କରିବାପାଇଁ କମିଟି ଦେଇଥିଲା। ଏହା ପ୍ରଥମେ କ୍ଲଷ୍ଟର ଓ କୃତିତ୍ୱ ଛାତ୍ରୀଛାତ୍ର ବ୍ଲକ ସ୍ତରରେ ସେ ସମାନ ଚିତ୍ର ଆଙ୍କିବେ ହେଲେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ଛାତ୍ର ଆୟୁଷ୍ମାନ ସାହୁ ଉକ୍ତ ଚିତ୍ର ନିଖୁଣଭାବେ ଆଙ୍କିଥିଲେ ମଧ୍ୟ ତାଙ୍କୁ କ୍ଲଷ୍ଟର ସ୍ତରରେ ବାଦ ଦିଆଯାଇଥିଲା। ଏନେଇ ଆୟୁଷ୍ମାନଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ବିଚାରକ ମଣ୍ଡଳୀ ଉକ୍ତ ନିଜସ୍ବ ଭୁଲକୁ ଲୁଚାଇବାକୁ ଉଦ୍ୟମ କରୁଥିବା ଆୟୁଷ୍ମାନଙ୍କ ପରିବାର ଅଭିଯୋଗ କରିଛନ୍ତି। ଆୟୁଷ୍ମାନଙ୍କୁ ଉଚିତ ନ୍ୟାୟ ଦିଆଯାଉ ଏବଂ ନିଖୁଣ ଭାବେ ହିଲଭିୟୁ ପାର୍କର ଅବିକଳ ଚିତ୍ର ଆଙ୍କିଥିବା ଚିତ୍ରକୁ ପୁନଃ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି।
ସୂଚନାଯୋଗ୍ୟ,ଗତ ବର୍ଷ ମଧ୍ୟ ଏଭଳି ଚଞ୍ଚକତା କରାଯାଇଥିବା ବେଳେ ଦୀର୍ଘ ବର୍ଷ ଧରି ଗୋଟିଏ ବିଚାରକ ମଣ୍ଡଳୀ ଚୟନ ଦାୟିତ୍ୱରେ ରହୁଥିବାରୁ ଚଞ୍ଚକତା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଆୟୁଷ୍ମାନ ୟୁନିସେଫରୁ ରାଜ୍ୟ ସ୍ତରରେ ଚିତ୍ରାଙ୍କନରେ ଦୁଇ ଦୁଇଥର କୃତିତ୍ୱ ଅର୍ଜନ କରିଥିବାବେଳେ ପିଲାଟି ଦିନରୁ ନିଜ ବିଦ୍ୟାଳୟ ସମେତ ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାରେ ସେ ସଫକତା ହାସଲ କରିସାରିଛନ୍ତି। ଏନେଇ ଜାତୀୟ ଦିବସ କମିଟିର କୋଷାଧ୍ୟକ୍ଷ ତଥା ଦାରିଙ୍ଗବାଡି ତହସିଲଦାର ଶରତ ଶବର ଘଟଣାର ତଦନ୍ତ କରାଯିବ ଏବଂ ଉକ୍ତ ଅଭିଯୋଗ ହୋଇଥିବା ଚିତ୍ରାଙ୍କନ ଖାତାକୁ ପୁନଃନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି।