ପରିବର୍ତ୍ତନର ପ୍ରସ୍ତୁତି

ଦିଲ୍ଲୀର ପ୍ରମୁଖ ସରକାରୀ ବିଭାଗଗୁଡ଼ିକରେ ଆମୂଳଚୂଳ ପରିବର୍ତ୍ତନ କରିବାକୁ କେନ୍ଦ୍ର ପ୍ରସ୍ତୁତ ହେଉଥିବା ସହ ପ୍ରଶାସନର ପୁନର୍ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶୁଣିବାକୁ ମିଳୁଛି। ଦିଲ୍ଲୀ ସରକାର ଏବଂ ମ୍ୟୁନିସିପାଲିଟି କର୍ପୋରେଶନ ଅଫ୍‌ ଦିଲ୍ଲୀ (ଏମ୍‌ସିଡି) ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିକୁ ନେଇ ଏକ ପରିବର୍ତ୍ତନକାରୀ ପୁନର୍ଗଠନ ବିଷୟରେ ବିଭାଗୀୟ ବ୍ୟକ୍ତିମାନେ ସୂଚନା ଦେଇଛନ୍ତି । ମୁଖ୍ୟ ସଚିବ(ସିଏସ୍‌)ଙ୍କ ତୃତୀୟ ନ୍ୟାଶନାଲ କନ୍‌ଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ଆଗାମୀ ଅଦଳବଦଳର ଉତ୍ସୁକତାକୁ ଆହୁରି ବଢ଼ାଇଦେଇଛି। ଗୁଜବ ହେଉଛି ଯେ ଏହି ଅଦଳବଦଳରେ ଏଜିଏମ୍‌ୟୁଟି କିମ୍ବା କେନ୍ଦ୍ରୀୟ କ୍ୟାଡର ମଧ୍ୟରେ ଥିବା ଅନେକ ଆଇଏଏସ୍‌ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପଦୋନ୍ନତି ସାମିଲ ରହିବ। ସୂତ୍ରରୁ ଜଣାଯାଇଛି, ଅଦଳବଦଳର ଝଟକା ଦିଲ୍ଲୀ ସୀମା ଟପି ପୁଡୁଚେରୀ ଓ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଯିବ। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ଶେଷ ସୁଦ୍ଧା ୧୯୮୮ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଧରମପାଲଙ୍କ ଅବସର ପରଠାରୁ ବିନା ପରାମର୍ଶଦାତାରେ ଚଣ୍ଡିଗଡ଼ର ପ୍ରଶାସନ ଚାଲିଆସୁଛି। ଏହି ଅଦଳବଦଳରେ ସମାନ ବ୍ୟାଚ୍‌ ଓ କ୍ୟାଡରର ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାର ଏବଂ ଜମ୍ମୁ-କଶ୍ମୀର ମୁଖ୍ୟ ସଚିବ ଅରୁଣ କୁମାର ମେହେଟାଙ୍କ ଆସନ୍ନ ଅବସରକୁ ସମାଧାନ କରାଯାଇପାରିବ। ୬ ମାସ କାର୍ଯ୍ୟକାଳ ସମ୍ପ୍ରସାରଣକୁ ନେଇ କୁମାର ସୁପ୍ରିମକୋର୍ଟରେ ନ୍ୟାୟିକ ସଙ୍କଟର ସମ୍ମୁଖୀନ ହୋଇଥିଲାବେଳେ ଜମ୍ମୁ-କଶ୍ମୀରରେ ୧୯୮୯ ବ୍ୟାଚ ଏଜିଏମ୍‌ୟୁଟି କ୍ୟାଡର ଆଇଏଏସ୍‌ ଅଧିକାରୀ ଅତୁଲ ଦୁଲ୍ଲୋଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। କିନ୍ତୁ ଚଣ୍ଡିଗଡ଼ ପରାମର୍ଶଦାତାଙ୍କ ପଦବୀରେ ବର୍ତ୍ତମାନ ୨୦୦୦ ବ୍ୟାଚ୍‌ ହରିୟାଣା କ୍ୟାଡର ଆଇଏଏସ୍‌ ଅଧିକାରୀ ନୀତିନ ଯାଦବ ଅବସ୍ଥାପିତ ହେବା ଘଟଣାକୁ ବୁଝିବା କଷ୍ଟକର, ଯାହା ନିଶ୍ଚିତ ଭାବରେ ପରିବର୍ତ୍ତନର ଅନିଶ୍ଚିତତା ବଢ଼ାଇଦେବ।
ନିଯୁକ୍ତିରେ ଶିଥିଳତା
ହାଇଦ୍ରାବାଦ ପୋଲିସ କମିଶନ ସୀମା ମଧ୍ୟରେ ମହିଳାମାନଙ୍କୁ ଷ୍ଟେଶନ ହାଉସ ଅଫିସର (ଏସ୍‌ଏଚ୍‌ଓ) ଭାବେ ନିଯୁକ୍ତି ଦେବା ଭଳି ପ୍ରଶଂସିତ ପଦକ୍ଷେପରୁ ତେଲଙ୍ଗାନା ପୋଲିସ ବିଭାଗ ହଟିଯାଇଥିବା ଜଣାପଡ଼ିଛି, କାରଣ ଏସ୍‌ଏଚ୍‌ଓଙ୍କ ମଧ୍ୟରୁ ଅନେକଙ୍କୁ ବିଭିନ୍ନ ଦାୟିତ୍ୱରେ ନିଯୁକ୍ତ କରାଯାଇଛି। ହାଇଦ୍ରାବାଦର ପୂର୍ବତନ ପୋଲିସ କମିଶନର ସି.ଭି. ଆନନ୍ଦ ପ୍ରଥମ ମହିଳା ଏସ୍‌ଏଚ୍‌ଓଙ୍କୁ ନିଯୁକ୍ତ କରିଥିଲେ। ୨୦୨୨ ଅନ୍ତର୍ଜାତୀୟ ମହିଳା ଦିବସରେ କମିଶନର ଆନନ୍ଦଙ୍କ ଉପସ୍ଥିତିରେ ମଧୁଲଥା ଲାଲାଗୁଡ଼ା ପୋଲିସ ଷ୍ଟେଶନର ଦାୟିତ୍ୱ ଗ୍ରହଣ କରି ପ୍ରଥମ ମହିଳା ଏସ୍‌ଏଚ୍‌ଓ ଭାବରେ ଇତିହାସ ସୃଷ୍ଟି କରିଥିଲେ। ପରେ ମହିଳା ଏସ୍‌ଏଚ୍‌ଓଗୁଡ଼ିକର ସଂଖ୍ୟା ୫କୁ ବୃଦ୍ଧି ପାଇଥିଲା। ହାଇଦ୍ରାବାଦ ସିଟି ପୋଲିସର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ବିତରଣ ହୋଇଥିବା ବୁକ୍‌ଲେଟ ଏପର୍ଯ୍ୟନ୍ତ ସମସ୍ତ ୫ଜଣଙ୍କୁ ଏସ୍‌ଏଚଓ ଭାବରେ ତାଲିକାଭୁକ୍ତ କରିଥିଲେ ବି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବଦଳି କରାଯାଇଛି। ବୋଲାରମ ପୋଲିସ ଷ୍ଟେଶନରେ ଅବସ୍ଥାପିତ ଲକ୍ଷ୍ମୀ ମାଧବୀଙ୍କୁ ପରେ ସେଣ୍ଟ୍ରାଲ କ୍ରାଇମ ଷ୍ଟେଶନ (ସିସିଏସ୍‌)କୁ ସ୍ଥାନାନ୍ତର କରାଯାଇଥିଲା। ଲାଙ୍ଗର ହାଉସର ଏସ୍‌ଏଚ୍‌ଓ ମାଧବୀଲଥାଙ୍କୁ ସଚିବାଳୟରେ ସୁରକ୍ଷା ଅଧିକାରୀ ଭାବରେ ନିଯୁକ୍ତ କରାଯାଇଥିବାବେଳେ ଆଫଜଲଗୁଞ୍ଜର ପୂର୍ବତନ ଏସ୍‌ଏଚ୍‌ଓ ଚିତ୍ତି ବୁରା ନଗର ପୋଲିସର ଟାସ୍କଫୋର୍ସକୁ ବଦଳି ହୋଇଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ମତ ଯେ, ଅନେକ ଗ୍ରାମୀଣ ପୋଲିସ ଷ୍ଟେଶନ ବର୍ତ୍ତମାନ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି। ତେବେ ମହିଳା ଏସ୍‌ଏଚ୍‌ଓଙ୍କ ବଦଳିକୁ ରାଜନୈତିକ ଚାପ, କ୍ୟାରିୟର ରେକର୍ଡ ଯାଞ୍ଚ କିମ୍ବା କାର୍ଯ୍ୟ ସମ୍ବନ୍ଧୀୟ ଚାପରୁ ଆସିଥିବା ଅନୁରୋଧ କାରଣରୁ କରାଯାଇଥିବା ସେ କହିଛନ୍ତି।
କେନ୍ଦ୍ରୀୟ ସୁରକ୍ଷାବଳରେ ନୂଆ ନେତୃତ୍ୱ
ଗତ ସପ୍ତାହରେ ଏହି ସ୍ତମ୍ଭରେ ପ୍ରମୁଖ କେନ୍ଦ୍ରୀୟ ପୋଲିସ ସଂଗଠନରେ ଶୀର୍ଷ ପଦବୀ ପାଇଁ ନିଯୁକ୍ତି ଘୋଷଣାରେ ବିଳମ୍ବକୁ ନେଇ ବାବୁମାନଙ୍କ ଚିନ୍ତା ବଢୁଥିବା ଦର୍ଶାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ୨୦୨୩ ବର୍ଷର ଶେଷଦିନଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ରାଜସ୍ଥାନ କ୍ୟାଡରର ଆଇପିଏସ୍‌ ଅଧିକାରୀ ନୀନା ସିଂଙ୍କୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ(ଡିଜି) ଭାବେ ନିଯୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ଡିଜି ପଦବୀ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ମହିଳା ଆଇପିଏସ୍‌। ସେହିଭଳି ଅନିଶ ଦୟାଲ ସିଂଙ୍କୁ ସିଆର୍‌ପିଏଫ୍‌ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିବାବେଳେ ବର୍ତ୍ତମାନ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ବତନ୍ତ୍ର ନିର୍ଦ୍ଦେଶକ ଥିବା ରାହୁଲ ରାସଗୋତ୍ରା ଭାରତ-ତିବ୍ଦତୀୟ ସୀମା ପୋଲିସ ଫୋର୍ସ (ଆଇଟିବିପି)ର ନୂତନ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ଏଥିସହ ଆଇବି ଅଧିକାରୀ ବିବେକ ଶ୍ରୀବାସ୍ତବଙ୍କୁ ଅଗ୍ନିଶମ ସେବା, ନାଗରିକ ପ୍ରତିରକ୍ଷା ଡିଜି ଭାବରେ ନିଯୁକ୍ତି ଦିଆଯାଇଛି । ଯଦିଓ ବିଳମ୍ବ ହୋଇଛି, ଏହି ନିଯୁକ୍ତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷାବାହିନୀ ମଧ୍ୟରେ ନେତୃତ୍ୱର ଏକ ରଣନୈତିକ ପୁନର୍ଗଠନର ସଂକେତ ଦେଇଛି। ଏହି ଅଭିଜ୍ଞ ଅଧିକାରୀଙ୍କ ନିଯୁକ୍ତିରୁ ବୁଝାପଡ଼ୁଛି ଯେ, ଜାତୀୟ ସୁରକ୍ଷା ଦାବିଗୁଡ଼ିକ ପୂରଣ କରିବା ପାଇଁ ଉକ୍ତ ସୁରକ୍ଷାବାହିନୀଗୁଡ଼ିକୁ ଦୃଢ଼ କରିବା ଉପରେ କେନ୍ଦ୍ର ଧ୍ୟାନ ଦେଇଛି।
Email: dilipcherian@gmail.com