ସ୍କୁଲ ଖୋଲିବାର ପ୍ରସ୍ତୁତି କରୁଛନ୍ତି ସରକାର! ହେଲେ ଏହି ଦେଶରେ ୧୫ ଦିନରେ ସଂକ୍ରମିତ ହେଲେଣି ୯୭୦୦୦ ଶିଶୁ

ଦୀର୍ଘ ୬ ମାସରୁ ଅଧିକ ସମୟ ଧରି ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ଏହାକୁ ନେଇ ସ୍କୁଲ, କଲେଜ ଆଦି ବନ୍ଦ ରହିଛି। ହେଲେ ଦୀର୍ଘ ଦିନ ଧରି ପିଲାଙ୍କ ପାଠପଢ଼ା ବନ୍ଦ ଥିବାରୁ ଏବେ ସ୍କୁଲ ଖୋଲିବାକୁ ବିଭିନ୍ନ ଦେଶର ସରକାର ଚିନ୍ତା କରୁଛନ୍ତି। ଅପରପକ୍ଷେ ଆମେରିକାରୁ ଡରାଇବା ଭଳି ଖବର ସାମ୍ନାକୁ ଆସିଛି। ସେଠାରେ ଜୁଲାଇର ଶେଷ ୧୫ ଦିନରେ ପ୍ରାୟ ୯୭୦୦୦ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି। ଆମେରିକାନ୍‌ ଆକାଡେମୀ ଅଫ୍‌ ପିଡିଏଟ୍ରିକ୍ସ ଏକ ରିପୋର୍ଟରେ ଏହ ଦର୍ଶାଇଛି।

ରିପୋର୍ଟରେ କୁହାଯାଇଛି ଯେ, ଆମେରିକାରେ ମୋଟ ୫୦ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ସେଥିରୁ ୩ ଲକ୍ଷ ୩୮ହଜାର ଛୋଟ ପିଲା ଅଛନ୍ତି। ଏହା ଜଣାପଡ଼ିବା ପରେ ସ୍କୁଲ ଖୋଲିବା ଉପରେ ସରକାର ଆଉ ଥରେ ଚିନ୍ତା କରନ୍ତୁ ବୋଲି ଦାବି ହେଉଛି। ତେବେ କେବଳ ଜୁଲାଇରେ ଆମେରିକାରେ ପ୍ରାୟ ୨୫ଜଣ ଶିଶୁ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଆମେରିକାର ନ୍ୟୁୟର୍କର ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ପରିବାରକୁ ବିକଳ୍ପ ଚୟନ କରିବାକୁ କୁହାଯାଇଛି। ଏଥିସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ସ୍କୁଲ ଖୋଲାଯାଉ ବୋଲି ଅନେକେ ମତ ରଖୁଛନ୍ତି।

ପ୍ରକାଶ ଯେ, ସାରା ବିଶ୍ୱରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ କୋଟି ୯୮ ଲକ୍ଷରୁ ଅଧିକ ହୋଇଛି। ଏଥିରୁ ସର୍ବାଧିକ ଆମେରିକାର ଅଛନ୍ତି। ଏହାପରେ ବ୍ରାଜିଲ ଏବଂ ତୃତୀୟରେ ଭାରତ ରହିଛି।

Share