Categories: ଫୁରସତ

ରାଷ୍ଟ୍ରପତି ଭବନ

ଆମ ଦେଶର ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥଳୀ ହେଉଛି ରାଷ୍ଟ୍ରପତି ଭବନ। ଏହା ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ବାସସ୍ଥଳି ବା ରେସିଡେନ୍ସ। ଯେଉଁଠାରେ ରହିଛି ଗାର୍ଡେନ, ମ୍ୟୁଜିୟମ୍‌, ସେରେମୋନିଆଲ୍‌ ହଲ୍‌ ଏବଂ ବଡିଗାର୍ଡ ଓ ଷ୍ଟାଫ୍‌ମାନଙ୍କ ପାଇଁ କ୍ୱାଟର୍ସ। ଜାଣିବା ଏହା ସମ୍ପର୍କରେ ଆହୁରି କିଛି ତଥ୍ୟ…
ଦିଲ୍ଲୀ ରାଜପଥର ପଶ୍ଚିମ ଭାଗ ଶେଷରେ ରହିଛି ରାଷ୍ଟ୍ରପତି ଭବନ, ଯାହାକି ରାଇସିନା ହିଲ୍ସ ଉପରେ ନିର୍ମାଣ କରାଯାଇଛି। ସ୍ବାଧୀନତା ପୂର୍ବରୁ ଏହାକୁ ଭାଇସ୍‌ରୟ ହାଉସ୍‌ ବୋଲି କୁହାଯାଉଥିଲା।
ଏହି ଭବ୍ୟ ଭବନକୁ ନିର୍ମାଣ କରିବା ଲାଗି ୨୯,୦୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ପ୍ରାୟ ୧୭ ବର୍ଷ ସମୟ ଲାଗିଥିଲା।
ସ୍ବାଧୀନତା ପୂର୍ବରୁ ରାଷ୍ଟ୍ରପତିଙ୍କୁ ମିଳୁଥିବା ଉପହାରକୁ ତୋଷଖାନାରେ ବା ଷ୍ଟୋର୍‌ ହାଉସ୍‌ରେ ରଖାଯାଉଥିଲା ଏବଂ ପରେ ଗିଫ୍ଟ ଗ୍ୟାଲେରିରେ ପ୍ରଦର୍ଶନ କରାଯାଉଥିଲା। ହେଲେ ୨୦୧୪ ଜୁଲାଇ ୨୫ରେ ରାଷ୍ଟ୍ରପତି ଭବନ ମ୍ୟୁଜିୟମ୍‌ କମ୍ପ୍ଲେକ୍ସ ଉଦ୍‌ଘାଟନ କରାଗଲା ଏବଂ ରାଷ୍ଟ୍ରପତିଙ୍କୁ ମିଳୁଥିବା ଉପହାରକୁ ଏଠାରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରାଗଲା।
ଏହା ମଧ୍ୟରେ ୩୪୦ଟି କୋଠରି ଥିବା ବେଳେ କୌଣସି ବିଶେଷ କାର୍ଯ୍ୟକ୍ରମ ପାଇଁ ବ୍ୟବହାର ହେଉଥିବା ଅଶୋକ ହଲ୍‌ ସବୁଠୁ ସୁନ୍ଦର। ଯେଉଁଠାରେ ଅନେକ ଆକର୍ଷଣୀୟ ପେଣ୍ଟିଂ ରହିଛି।
ଏଠାରେ ରହିଛି ୧୦୪ ଫୁଟ ଲମ୍ବ ଏବଂ ୩୪ ଫୁଟ ଚଉଡ଼ା ବିଶିଷ୍ଟ ବାଙ୍କ୍ବେଟ୍‌ ହଲ୍‌, ଯାହାକୁ ଷ୍ଟେଟ୍‌ ଡାଇନିଂ ରୁମ୍‌ ବୋଲି ମଧ୍ୟ କୁହାଯାଇଥାଏ। ଯେଉଁଠାରେ ଏକାଥରେ ୧୦୪ ଜଣ ବସି ଖାଇପାରିବେ। ଏଠାରେ ଖାଇବା ବେଳେ ଅତିଥିମାନଙ୍କ ମନୋରଞ୍ଜନ ପାଇଁ ଏକ ମ୍ୟୁଜିସିଆନ୍‌ ଗ୍ୟାଲେରି ରହିଛି।
୧୫ ଏକର ପରିବ୍ୟାପ୍ତ ମୁଗଲ୍‌ ଗାର୍ଡେନ ହେଉଛି ରାଷ୍ଟ୍ରପତି ଭବନର ମୁଖ୍ୟ ଆକର୍ଷଣ। ଫେବୃୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏକ ବାର୍ଷିକ ଉଦ୍ୟାନୋତ୍ସବ ପାଳନ କରାଯାଇ ଏହା ସର୍ବସାଧାରଣଙ୍କ ଦେଖିବା ପାଇଁ ଖୋଲା ଯାଇଥାଏ।

Share