Categories: ଜାତୀୟ

ମଣିପୁର ସରକାରକୁ ବରଖାସ୍ତ କରନ୍ତୁ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨ା୭: ମଣିପୁର ସ୍ଥିତିକୁ ନେଇ ସରକାର ଆଦୌ ଗମ୍ଭୀର ନୁହନ୍ତି। ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ଭାଜପା ସରକାରକୁ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସଭାର କଂଗ୍ରେସ ଉପନେତା ପ୍ରମୋଦ ତିଓ୍ବାରୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ମଣିପୁର ଉପରେ ବିରୋଧୀ ବିସ୍ତୃତ ବିତର୍କ ଦାବି କରୁଥିବାବେଳେ ସରକାର ନାମକୁ ମାତ୍ର ସଂକ୍ଷିପ୍ତ ଆଲୋଚନା ଚାହୁଁଛନ୍ତି। ଆଲୋଚନାରୁ କିଏ ପଳାୟନ କରୁଛନ୍ତି, ତାହା ଏଥିରୁ ସ୍ପଷ୍ଟ ହେଉଛି। ସରକାର ଏହା ଉପରେ ସମ୍ବେଦନଶୀଳ ଥିଲେ ମଙ୍ଗଳବାର ଆଲୋଚନା ଆରମ୍ଭ ହେଉ। ସମସ୍ତ ଦଳକୁ ମତ ରଖିବାକୁ ଦିଆଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ବିବୃତି ରଖନ୍ତୁ। ସେ ଯଦି ବାହାରେ କହିପାରୁଛନ୍ତି ତେବେ ଗୃହ ଭିତରେ କାହିଁକି ବିବୃତି ଦେଇପାରିବେ ନାହିଁ ବୋଲି ତିଓ୍ବାରୀ ପ୍ରଶ୍ନ କରିଛନ୍ତି। କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା କହିଛନ୍ତି, ରାଷ୍ଟ୍ରପତି ନିଜ ସ୍ବତନ୍ତ୍ର କ୍ଷମତା ପ୍ରୟୋଗ କରି ମଣିପୁର ସରକାରକୁ ବରଖାସ୍ତ କରନ୍ତୁ। ଦେଶ ତାଙ୍କଠାରୁ ଏହା ଆଶା କରୁଛି।

Share