କୋଲ୍ଲମ, ୧୮ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ପ୍ରଥମ ଥର ପାଇଁ କେରଳ ଗସ୍ତ କରିଥିଲେ। ସେ ପୂର୍ବାହ୍ନରେ କୋଲ୍ଲମ ଜିଲାର ଅମୃତପୁରୀ ଆଶ୍ରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବାବେଳେ କରୁଣାଗପ୍ପଲ୍ଲୀ ରାସ୍ତାକଡ଼ରେ କେତେଜେଣ ସ୍କୁଲ ପିଲା ତାଙ୍କୁ ଦେଖିବା ଲାଗି ଅପେକ୍ଷା କରିଥିଲେ। ରାଷ୍ଟ୍ରପତି ସେମାନଙ୍କୁ ଦେଖି ନିଜ କାର୍କେଡ୍କୁ ଅଟକାଇଥିଲେ। କାର୍ରୁ ଓହ୍ଲାଇ କୁନିକୁନି ଛାତ୍ରୀଛାତ୍ରଙ୍କୁ ଚକୋଲେଟ ବାଣ୍ଟିବା ସହିତ ସେମାନଙ୍କ ସହ କଥା ହୋଇଥିଲେ। ରାଷ୍ଟ୍ରପତିଙ୍କ ଏଭଳି ବ୍ୟବହାର ପିଲାଙ୍କୁ ଉତ୍ସାହିତ କରିଥିଲା। କିଛି ସମୟ ପରେ ରାଷ୍ଟ୍ରପତି ମୁର୍ମୁ ସେମାନଙ୍କଠାରୁ ବିଦାୟ ନେଇଥିଲେ। ପିଲାମାନେ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଦୃଶ୍ୟର ଭିଡିଓ ବହୁଳ ପ୍ରସାରିତ ହୋଇଛି।