Categories: ଜାତୀୟ

ବିରୋଧୀଙ୍କୁ ମିଳୁନାହାନ୍ତି ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ରହିଛି। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ମିଳିତ ପ୍ରାର୍ଥୀ ଦେବା ଲାଗି ଅଣ୍ଟା ଭିଡ଼ୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ପ୍ରାର୍ଥୀ ମିଳୁନାହାନ୍ତି। ପୂର୍ବରୁ ପ୍ରାର୍ଥୀ ହେବା ପ୍ରସ୍ତାବକୁ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଏବଂ ନ୍ୟାଶନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା ଏଡ଼ାଇଯାଇଥିବା ବେଳେ ସୋମବାର ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ ମଧ୍ୟ ଏଥିପାଇଁ ମନା କରିଦେଇଛନ୍ତି। ବିରୋଧୀ ଦଳଗୁଡ଼ିକର ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଜାତୀୟ ସହମତି ସୃଷ୍ଟି କରିବା ଆବଶ୍ୟକ। ମୋଠାରୁ ଅନ୍ୟମାନେ ଏଦିଗରେ ଭଲ କରିପାରିବେ ବୋଲି ଗୋପାଳକୃଷ୍ଣ କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ଜୁନ୍‌ ୧୫ରୁ ଆରମ୍ଭ ହୋଇଥିବା ବେଳେ ଏହା ୨୯ ତାରିଖରେ ଶେଷ ହେବ। ପାଓ୍ବାର ପ୍ରାର୍ଥୀ ହେବାକୁ ମନା କରିବା ପରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଗତ ୧୫ ତାରିଖ ବିରୋଧୀ ଦଳ ବୈଠକରେ ଏନ୍‌ସି ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ଏବଂ ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାମ ପ୍ରସ୍ତାବ ଦେଇଥିଲେ।

Share