କଏଦୀରୁ ରାଷ୍ଟ୍ରପତି

ବିସ୍‌କେକ୍‌,୨୯।୧: ପପୁଲିଷ୍ଟ ସାଦିର ଜାପାରୋଭ ଗୁରୁବାର କିର୍ଗିଜସ୍ତାନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ମାତ୍ର କିଛି ମାସରେ ଜଣେ କଏଦୀରୁ ଦେଶର ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରି ସେ ବେଶ୍‌ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୫୨ ବର୍ଷୀୟ ଜାପାରୋଭ ନିକଟରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲେ। ରାଜ୍ୟପାଳଙ୍କୁ ଅପହରଣ କରିବା ମାମଲାରେ ୨୦୧୭ରେ ତାଙ୍କୁ ଜେଲ ଦଣ୍ଡ ହୋଇଥିଲା। ଗତ ବର୍ଷ ଅକ୍ଟୋବରରେ କିର୍ଗିଜସ୍ତାନ ରାଷ୍ଟ୍ରପତି ସୁରନବାଇ ଜେନବେକୋଭ କ୍ଷମତାରୁ ଓହରିବା ପରେ ନିର୍ବାଚନ ହୋଇଥିଲା। ସୁରନବାଇ ବେଆଇନ ଭାବେ ନିର୍ବାଚିତ ହୋଇଥିବା କହି ତାଙ୍କୁ ରାଷ୍ଟ୍ରପତି ପଦ ଛାଡିବା ଦାବିରେ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନ ସମୟରେ ଜାପାରୋଭ ଜେଲରୁ ମୁକୁଳିଥିଲେ। ପରେ ଜାପାରୋଭ ଆନ୍ଦୋଳନକୁ ଜୋର୍‌ଦାର କରିବାକୁ ଲୋକଙ୍କୁ ଏକାଠି କରି ଏହାର ନେତୃତ୍ୱ ନେଇଥିଲେ। ପରେ ସେ ନିର୍ବାଚନ ଲଢ଼ିଥିଲେ।

Share