Categories: ଜାତୀୟ

ହର୍‌ସିମରତ୍‌ଙ୍କ ସ୍ଥାନ ନେଲେ ତୋମାର

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପରାମର୍ଶ କରିବା ପରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ୟାବିନେଟ୍‌ ମନ୍ତ୍ରୀ ହରସିମରତ୍‌ କୌରଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଫଳରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ମୋଦି କ୍ୟାବିନେଟରୁ ଇସ୍ତଫା ଦେବା ପରେ ହରସିମରତ୍‌ ଟୁଇଟ୍‌ ଯୋଗେ କହିଛନ୍ତି ଯେ କୃଷକ ବିରୋଧୀ ଅଧ୍ୟାଦେଶ ବିଲ୍‌କୁ ବିରୋଧ କରି ମୁଁ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛି। ଜଣେ ଝିଅ ଏବଂ ଭଉଣୀ ଭାବରେ କୃଷକମାନଙ୍କ ସହିତ ଠିଆ ହୋଇ ଗର୍ବିତ ବୋଲି ସେ କହିଚନ୍ତି। ହରସିମରତ୍‌ କୌର ବାଦଲ ଖାଦ୍ୟ ଏବଂ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଥିଲେ। ଭାଜପାର ସହଯୋଗୀ ଶିରୋମଣି ଅକାଳୀ ଦଳ ଏହି ନିୟମକୁ ବିରୋଧ କରୁଥିବାରୁ ହରସିମରତ୍‌ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି। ଏହାପୂର୍ବରୁ ଗୁରୁବାର ଲୋକସଭାରେ କୃଷକ ବିରୋଧୀ ଅଧ୍ୟାଦେଶ ବିଲ ଆଗତ କରାଯାଇଥିଲା ସେତେବେଳେ ଶିରୋମଣି ଅକାଳୀ ଦଳ ଏମ୍‌ପି ସୁଖବୀର ସିଂ ବାଦଲ ଏହାକୁ ବିରୋଧ କରିଥିଲେ। ସେ ସରକାରଙ୍କୁ ଏକ ବଡ ଝଟକା ଦେଇ କହିଥିଲେ ଯେ ହରସିମରତ କୌର ବାଦଲ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତେବେ ଶିରୋମଣି ଅକାଳୀ ଦଳ ସରକାରଙ୍କୁ ସମର୍ଥନ ଜାରି ରଖିବ।

Share