ପୁରୀରେ ରାଷ୍ଟ୍ରପତି

ଭୁବନେଶ୍ୱର,୭।୭: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପୁରୀ ଅଭିମୁଖେ ଯାଇଛନ୍ତି । ସେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ ଯାଇ ପୁରୀ ତାଳବଣିଆଠାରେ ହେଲିପ୍ୟାଡରେ ଅବତରଣ କରିଛନ୍ତି। ପରେ ସେଠାରୁ ସୁରକ୍ଷା ବଳୟ ଭିତରେ ଯାଇ ବଡଦାଣ୍ଡରେ ପହଞ୍ଚିବେ । ଏ ନେଇ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏହି ଦିବସରେ ଅର୍ଥାତ୍‌ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ପଥ(ବଡ଼ଦାଣ୍ଡ)କୁ ଓହ୍ଲାଇବେ। ରଥରେ ଯିବେ ଶ୍ରୀଗୁଣ୍ଡିଚା ମନ୍ଦିର। ଏଥିପାଇଁ ୩ ରଥ ନନ୍ଦିଘୋଷ, ଦେବଦଳନ ଏବଂ ତାଳଧ୍ୱଜ ସିଂହଦ୍ୱାର ସମ୍ମୁଖରେ ସଜେଇ ହୋଇରହିଥିବାବେଳେ ପଥ ମଧ୍ୟ ପ୍ରସ୍ତୁତ ହୋଇରହିଛି। ଚତୁର୍ଦ୍ଧା ବିଗ୍ରହଙ୍କ ଗୁଣ୍ଡିଚାଯାତ୍ରା ଭଳି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଅଗଣିତ ଭକ୍ତ ଅପେକ୍ଷା କରି ରହିଛନ୍ତି। ଏଥିପାଇଁ ଶନିବାରଠାରୁ ଶ୍ରୀକ୍ଷେତ୍ର ହୋଇପଡ଼ିଛି ଜଗନ୍ନାଥମୟ।
ଘୋଷଯାତ୍ରାର ଅବ୍ୟବହିତ ପୂର୍ବରୁ ଶନିବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଥିଲା। ୩ ଜଣ ପୂଜାପଣ୍ଡା ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆଣିଥିଲେ। ଏହାପରେ ଘଣ୍ଟ ଛତା କାହାଳୀ ସହ ପୂଜାପଣ୍ଡା ସାମନ୍ତ ରଥଖଳାକୁ ଆଜ୍ଞାମାଳା ବିଜେ କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥରେ, ଦ୍ୱିତୀୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶେଷରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା।