Categories: ଜାତୀୟ

ପ୍ରାର୍ଥୀ ହେବା ପୂର୍ବରୁ ପିଏମ୍‌ଓ କଲ୍‌ ମିସ୍‌ କରିଥିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୬ା୬ : ଦ୍ରୌପଦୀ ମୁର୍ମୁ କମ୍‌ ସମୟ ମୋବାଇଲ ଫୋନ୍‌ ବ୍ୟବହାର କରିଥାନ୍ତି। ସେଥିପାଇଁ ସେ ସମ୍ଭବତଃ ତାଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଲ୍‌କୁ ହରାଇଥିଲେ ବୋଲି ସାମ୍ବାଦିକ କସ୍ତୁରୀ ରାୟଙ୍କ ଦ୍ୱାରା ଲିଖିତ ଜୀବନୀ ପୁସ୍ତକ ‘ଦ୍ରୌପଦୀ ମୁର୍ମୁ: ଫ୍ରମ୍‌ ଟ୍ରାଇବାଲ ହିଣ୍ଟରଲ୍ୟାଣ୍ଡସ୍‌ ଟୁ ରାଇସିନା ହିଲ୍‌’ରେ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରପତି ପଦ ଲାଗି ଏନ୍‌ଡିଏରୁ ପ୍ରାର୍ଥୀ ହେବା ନିମନ୍ତେ ଜଣାଇବା ପାଇଁ ମୁର୍ମୁଙ୍କ ପାଖକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ଫୋନ୍‌ କଲ୍‌ ଯାଇଥିଲା, ଯାହାକୁ ସେ ଗ୍ରହଣ କରିପାରି ନ ଥିଲେ। ଝାଡ଼ଖଣ୍ଡରେ ମୁର୍ମୁଙ୍କ ପୂର୍ବତନ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି) ଥିବା ବିକାଶ ଚନ୍ଦ୍ର ମହାନ୍ତୋ ହାତରେ ଫୋନ୍‌ ଧରି ତାଙ୍କ ଘରକୁ ଦୌଡ଼ିଥିଲେ। ପିଏମ୍‌ଓରୁ ସେ ଫୋନ୍‌ ପାଇଛନ୍ତି ଓ ମୁର୍ମୁଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କୁ କୁହାଯାଇଥିବା ମହାନ୍ତୋ କହିଥିଲେ ବୋଲି ଓ ସଦ୍ୟ ପ୍ରକାଶିତ ପୁସ୍ତକରେ ଉଲ୍ଲେଖ କରାଯାଇଛି ।
୨୦୨୨ ଜୁନ୍‌ ୨୧ର ଘଟଣା। ସେଦିନ ମୁର୍ମୁ ଓଡ଼ିଶାର ରାଇରଙ୍ଗପୁରରେ ଥିଲେ। ଭାଜପା ତାଙ୍କୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିବାର ଥିଲା। ଆନୁଷ୍ଠାନିକ ଘୋଷଣାକୁ ସମସ୍ତେ ଅପେକ୍ଷା କରିଥିଲେ। ତେବେ ଦୁର୍ଭାଗ୍ୟକୁ ବିଜୁଳି କାଟ୍‌ ଯୋଗୁ ମୁର୍ମୁ ଓ ତାଙ୍କ ପରିବାର ସେଦିନ ସମାଚାର ଦେଖିପାରି ନ ଥିଲେ। କିଛି ସମୟ ପରେ ଟେଲିଭିଜନ ଚ୍ୟାନେଲରେ ତାଙ୍କ ପ୍ରାର୍ଥତ୍ତ୍ୱ ସମ୍ପର୍କରେ ଖବର ପ୍ରସାରିତ ହୋଇଥିଲା। ଲୋକମାନେ ତାଙ୍କ ଘର ପାଖରେ ରୁଣ୍ଡ ହେବାରୁ ମୁର୍ମୁ ସେମାନଙ୍କୁ ଭିତରକୁ ଡାକିଥିଲେ। ବାରମ୍ବାର ମୋବାଇଲ ଫୋନ୍‌ ବ୍ୟବହାର କରୁ ନ ଥିବାରୁ ସେ ଏହାକୁ ଦୂରରେ ରଖିଥିଲେ ଏବଂ ସମ୍ଭବତଃ ଉକ୍ତ ଗୁରୁତ୍ୱପୂର୍ଣ୍ଣ ଫୋନ୍‌ କଲ୍‌ ମିସ୍‌ କରିଥିଲେ। ଝିଅ ଇତିଶ୍ରୀଙ୍କ ଫୋନ୍‌ କ୍ରମାଗତ ଭାବେ ରିଙ୍ଗ୍‌ ହେବାରୁ ସେ କେତେକର ଉତ୍ତର ଦେଇପାରିଥିଲେ ବୋଲି ପୁସ୍ତକରେ ଉଲ୍ଲେଖ କରାଯାଇଛି। ତଥାପି ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଥିଲା। ଶେଷରେ ପୂର୍ବତନ ଓଏସ୍‌ଡି ତଥା ରାଇରଙ୍ଗପୁରରେ ମେଡିସିନ୍‌ ଷ୍ଟୋର କରିଥିବା ମହାନ୍ତୋ ଫୋନ୍‌ ଆଣି ପିଏମ୍‌ଓର କଲ୍‌ ଗ୍ରହଣ କରିବାକୁ ମୁର୍ମୁଙ୍କୁ କହିଥିଲେ। ମୁର୍ମୁ ଫୋନ୍‌ ଉଠାଇବା ବେଳେ ଅପରପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିଲେ। ସେତେବେଳେ ମୁର୍ମୁ ଜାଣିବାକୁ ପାଇଥିଲେ ସେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ।

Share