Categories: ଜାତୀୟ

ଭାରତୀୟ ବଂଶୋଦ୍ଭବ ସିଚେଲ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦ା୧୦:ଭାରତୀୟ ବଂଶୋଦ୍ଭବ ପୂଜକ ଓ୍ବାଭେଲ ରାମକଲଓ୍ବାନ ସିଚେଲ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଡାନ୍ନି ଫଉର୍‌ଙ୍କୁ ପରାସ୍ତ କରିଛନ୍ତି। ରାମକଲଓ୍ବାନଙ୍କ ଅଜା ବିହାର ଗୋପାଳଗଞ୍ଜରୁ ସିଚେଲ୍ସ ଆସିଥିଲେ। ୧୯୬୧ ମାର୍ଚ୍ଚ ୧୫ରେ ଜନ୍ମିତ ରାମକଲଓ୍ବାନଙ୍କ ବାପା ଜଣେ ଟିଣ କାରିଗର ଥିବାବେଳେ ମାଆ ପ୍ରଧାନ ଶିକ୍ଷୟିତ୍ରୀ। ମରିସସ୍‌ର ସେଣ୍ଟ ପାଉଲ୍ସ ଥିଓରିଟିକାଲ କଲେଜରେ ଧାର୍ମିକ ଶିକ୍ଷା ଶେଷ କରିବା ପରେ ୧୯୮୫ରେ ରାମକଲଓ୍ବାନ ଜଣେ ପୂଜକ ଭାବେ କାର୍ଯ୍ୟ କରିଥିଲେ। ସେ ୧୯୯୩ରୁ ୨୦୧୧ ଏବଂ ୨୦୧୬ରୁ ୨୦୨୦ ବିରୋଧୀ ଦଳ ଏମ୍‌ପି ଥିଲେ। ଏଥିସହିତ ସେ ଦୁଇଥର ବିରୋଧୀ ଦଳ ନେତା ହୋଇଥିଲେ। ଭାରତକୁ ଆସମ୍ପଶନ ଦ୍ୱୀପ ହସ୍ତାନ୍ତର ପାଇଁ ହୋଇଥିବା ଚୁକ୍ତିନାମାକୁ ସେ ବିରୋଧ କରୁଥିଲେ। ସେଠାରେ ଏବେ ରାଜନୈତିକ ପାଣିପାଗ ବଦଳିଛି। ରାମକଲଓ୍ବାନଙ୍କ ନେତୃତ୍ୱରେ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଲିନ୍‌ୟୋନ ଡୋମୋକ୍ରାଟିକ୍‌ ସେସେଲ୍‌ଓ୍ବା (ଏଲ୍‌ଡିଏସ୍‌) ଉକ୍ତ ଚୁକ୍ତିନାମା ମଞ୍ଜୁର କରିବାକୁ ମନା କରିଦେଇଛି।

Share