Categories: ଜାତୀୟ

ରାମନାଥଙ୍କ ନୂଆ ଠିକଣା ଜନପଥ ୧୨

ନୂଆଦିଲ୍ଲୀ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଯାଉଛି। ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ରାମନାଥଙ୍କ ନୂଆ ଠିକଣା ପାଲଟିବ ଜନପଥ ୧୨। ରାଷ୍ଟ୍ରପତି ଭାବେ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କର ନୂତନ ଠିକଣା ଲୁଟିଏନ୍ସ ଦିଲ୍ଲୀର ଜନପଥ ୧୨ ବଙ୍ଗଳା ହୋଇପାରେ। କାରଣ ଦେଶର ପ୍ରଥମ ନାଗରିକରୁ ସାଧାରଣ ନାଗରିକ ପାଲଟିବା ପରେ କୋବିନ୍ଦଙ୍କୁ ରାଇସିନା ହିଲ୍‌ ଛାଡ଼ିବାକୁ ପଡ଼ିବ। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦେଶର ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ବିଜୟୀ ହେବା ପରେ ରାଷ୍ଟ୍ରପତି ଭବନରେ ରହିବେ। ତେଣୁ କୋବିନ୍ଦଙ୍କ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରାମବିଳାସ ପାଶ୍ୱାନ ପୂର୍ବରୁ ରହୁଥିବା ବଙ୍ଗଳାରେ ବ୍ୟବସ୍ଥା କରାଯାଇଛି। ରାଜନୈତିକ ପାଣିପାଗ ବିଶେଷଜ୍ଞ ରୂପେ ପରିଚିତ ରାମବିଳାସ ପାଶ୍ୱାନ ୩ ଦଶନ୍ଧି ଧରି ନୂଆଦିଲ୍ଲୀର ୧୨ ଜନପଥ ବଙ୍ଗଳାରେ ରହୁଥିଲେ। ୨୦୨୦ ଅକ୍ଟୋବରରେ ୭୪ ବର୍ଷୀୟ ଦଳିତ ନେତା ପାଶ୍ୱାନଙ୍କ ମୃତ୍ୟୁ ହେବା ପରେ ତାଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ଦଖଲରେ ସେହି ବଙ୍ଗଳା ରହିଥିଲା। ସେଠାରେ ସେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ର ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ଦାଦା ପଶୁପତି କୁମାର ପାରସଙ୍କ ସହ ମତଭେଦ ପରେ ଏଲ୍‌ଏଜପିରେ ବିଭାଜନ ହୋଇଥିଲା। ବାରମ୍ବାର ନୋଟିସ କରାଯିବା ପରେ ଗତ ଏପ୍ରିଲରେ ଚିରାଗ ଉକ୍ତ ବଙ୍ଗଳା ଖାଲି କରିଥିଲେ। ସୂଚନା ମୁତାବକ, ଲୁଟିଏନ୍ସ ଦିଲ୍ଲୀର ବଡ଼ ବଙ୍ଗଳାଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ଘର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବୈଷ୍ଣବଙ୍କୁ ପୃଥ୍ବୀରାଜ ରୋଡ୍‌ରେ ଏକ ବଙ୍ଗଳା ଦିଆଗଲା, ଯେଉଁଠି ସେ ଏବେ ରହୁଛନ୍ତି।

Share