Categories: ଜାତୀୟ

ଇଦ୍‌-ଏ-ମିଲାଦ୍‌ର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୧୦: ଆଜି ସମଗ୍ର ଦେଶରେ ମହମ୍ମଦଙ୍କ ଜନ୍ମଦିନ ଇଦ୍‌-ଏ-ମିଲାଦ୍‌ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମାଜର ଉନ୍ନତି ତଥା ଦେଶରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଇଦ-ଏ-ମିଲାଦ ଉପଲକ୍ଷେ ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି। ମହମ୍ମଦ ପ୍ରେମ ଏବଂ ଭାଇଚାରା ବାର୍ତ୍ତା ଦେଇ ଜଗତକୁ ମାନବିକତାର ପଥରେ ନେଇଛନ୍ତି। ସେ ସମାନତା ଏବଂ ସମନ୍ବୟ ଆଧାରରେ ସମାଜ ଗଠନ କରିବାକୁ ଚାହୁଁଥିଲେ। ମହମ୍ମଦଙ୍କ ଅନୁଯାୟୀ ଆମେ ସମସ୍ତେ ସମାଜର ଉନ୍ନତି ତଥା ଦେଶରେ ଶାନ୍ତି ପାଇଁ କାର୍ଯ୍ୟ କରିବା ଉଚିତ୍‌। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି କହିଛନ୍ତି ଯେ ଇଦ-ଏ-ମିଲାଦ ଶୁଭେଚ୍ଛା। ଆଶା କରେ ଏହି ଦିନ ସବୁ ଦିଗରେ ଦୟା ଏବଂ ଭାଇଚାରା ବଜାୟ ରଖିବ। ସମସ୍ତେ ସୁସ୍ଥ ଏବଂ ଖୁସି ହୁଅନ୍ତୁ। ଶୁଭ ଇଦ ବୋଲି ମୋଦି କହିଛନ୍ତି।

Share