ଲକ୍ଷ୍ନୌ,୩।୬: ୪ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ରାଷ୍ଟ୍ରପତି ସେକ୍ରେଟେରିଏଟ ତରଫରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଉତ୍ତରପ୍ରଦେଶ ପହଞ୍ଚି ପ୍ରଥମ ଦିନରେ ତାଙ୍କ ଜନ୍ମମାଟି ପାରାଉଖ କାନପୁର ଦେହାଟ ଯିବେ । ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଉତ୍ତରପ୍ରଦେଶ କାନପୁରର ମରଚାଣ୍ଟ ଚାମ୍ବରର ୯୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସେହିଦିନ ଗୋରଖପୁରରେ ଥିବା ଗୀତା ପ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ମିଳିଛି । ସେହିପରି ଜୁନ ୫ ତାରିଖରେ ରାଷ୍ଟ୍ରପତି ମଗହରରେ ସନ୍ଥ କବୀର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଏବଂ ସନ୍ଥକବୀର ଏକାଡେମୀର ଉଦ୍ଘାଟନ କରିବେ । ଏହା ପରେ ୬ ତାରିଖରେ ଉତ୍ତରପ୍ରଦେଶ ବିଧାନମଣ୍ଡଳରେ ଏକ ସ୍ବତନ୍ତ୍ର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବେ ।
ଅନ୍ୟପଟେ, ଆଜି ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ୟୁପି ନିବେଶକ ସମ୍ମିଳନୀର ଗ୍ରାଉଣ୍ଡ ବ୍ରେକିଂ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ୮୦ ହଜାର କୋଟିରୁ ଅଧିକ ମୂଲ୍ୟର ୧୪୦୬ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ।