ଦେଶ ଛାଡିଛନ୍ତି ଜେଲେନ୍‌ସ୍କି ଖବର ମଧ୍ୟରେ ଭିଡିଓ ଜାରି କଲେ ରାଷ୍ଟ୍ରପତି

କ୍ୱିଭ୍‌,୮ ।୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରିବାକୁ ୧୨ ଦିନ ପୂରଣ ହୋଇ ସାରିଛି । ୧୩ ଦିନରେ ବି ରୁଷିଆ ପକ୍ଷରୁ ଆକ୍ରମଣକୁ ଆହୁରି ଜୋରଦାର କରାଯାଇଛି । ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଭୟରେ ଦେଶ ଛାଡିଦେଇଥିବା ଖବର ପ୍ରସାର କରିଥିଲା ରୁଷିଆ ଗଣମାଧ୍ୟମ । ଏବେ ଏହାର ଜବାବ ରଖିଛନ୍ତି ଜେଲେନ୍‌ସ୍କି । ସେ ଏକ ଭିଡିଓ ଜାରି କରି ଦାବି କରିଛନ୍ତି ଯେ ସେ ଦେଶ ଛାଡି ନାହାନ୍ତି । ସେ ୟୁକ୍ରେନରେ ହିଁ ଅଛନ୍ତି । କାରଣ ସେ କାହାକୁ ଭୟ କରୁ ନାହାନ୍ତି । ଆଉ ରୁଷିଆ ବିରୋଧରେ ବିଜୟ ହିଁ ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ୟୁକ୍ରେନ୍ ରାଷ୍ଟ୍ରପତି ଦେଶ ଛାଡି ନ ଥିବା ଦାବି କରି ଏକ ଭିଡିଓ ଜାରି କରିଥିଲେ ।

ସୂଚନାଯୋଗ୍ୟ, ୨୪ ଫେବୃୟାରୀରେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରଠାରୁ ଜେଲେନସ୍କି ବିଜୟ ଲକ୍ଷ୍ୟ ରଖି ଏହି ଶକ୍ତିଶାଳୀ ଦେଶ ସହ ଲଢି ଚାଲିଛନ୍ତି । ଉଭୟ ପକ୍ଷରୁ ବହୁ ଧନ ଜୀବନ କ୍ଷୟକ୍ଷତି ହୋଇଥିବା ବେଳେ ଆଗାମୀ ଦିନରେ ଏହା କି ରୂପ ନେବ ତାହା କେବଳ ସମୟ କହିବ । ଏପଟେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ସାରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଆମେରିକା ୟୁକ୍ରେନକୁ ସମସ୍ତ ସହାୟତା ଯୋଗାଇ ଦେଉଥିବା ବେଳେ ଏବେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ପୁଣି ଲଗାତାର ଭାବେ ଆକ୍ରମଣ କରାଯାଉଛି ।

Share