Categories: ଜାତୀୟ

ମମତାଙ୍କ ବୈଠକରେ ଯୋଗଦେବେନି ଏଆଇଏମ୍‌ଆଇଏମ୍‌-ଟିଆରଏସ୍‌

ନୂଆଦିଲ୍ଲୀ,୧୫।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ରଣନୀତି ଉପରେ ଆଲୋଚନା କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆଦିଲ୍ଲୀରେ ଏକ ବୈଠକ ଡକାଇଛନ୍ତି। ବୁଧବାର ଦ୍ୱିପ୍ରହର ୩ଟାରେ କନ୍‌ଷ୍ଟିଟ୍ୟୁସନ୍‌ ହଲ୍‌ରେ ହେବାକୁ ଥିବା ଏହି ବୈଠକରେ ବିରୋଧୀ ଦଳର ନେତାଙ୍କୁ ଆମନ୍ତ୍ରଣ କରାଯାଇଛି। ତେବେ ବୈଠକ ପୂର୍ବରୁ ବିରୋଧୀଙ୍କ ପାରସ୍ପରିକ ଦ୍ୱନ୍ଦ୍ୱ ଏବଂ ଅସନ୍ତୋଷ ସ୍ପଷ୍ଟ ବାର ହୋଇପଡ଼ୁଛି। ତୃଣମୂଳ କଂଗ୍ରେସ ନେତା ୨୨ଟି ରାଜନୈତିକ ଦଳକୁ ଏହି ବୈଠକରେ ନିମନ୍ତ୍ରଣ କରିଥିଲେ। କିନ୍ତୁ ଏଆଇଏମ୍‌ଆଇଏମ୍‌କୁ ଅଣଦେଖା କରିଥିଲେ। ସେହିପରି ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍‌) ମଧ୍ୟ ଏହି ବୈଠକରେ ଯୋଗଦେବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍‌ ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ ଦଳର ବରିଷ୍ଠ ନେତାଙ୍କ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି, ମମତା ବାନାର୍ଜୀ କଂଗ୍ରେସ ଦଳକୁ ଏହି ବୈଠକକୁ ନିମନ୍ତ୍ରଣ କରିଥିବାରୁ ଟିଆରଏସ୍‌ ଅସନ୍ତୁଷ୍ଟ ରହିଛି। ଉଭୟ ଭାଜପା ଏବଂ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖିବା ପାଇଁ ଟିଆରଏସ୍‌ ନିଜର ଆଭିମୁଖ୍ୟକୁ ଦର୍ଶାଇଛି। ଟିଆରଏସ୍‌ ନେତୃତ୍ୱ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସ ଜଡିତ ଥିବା କୌଣସି କାର୍ଯ୍ୟକ୍ରମର ଦଳ ଅଂଶ ହୋଇପାରିବ ନାହିଁ। କାରଣ ରାଜ୍ୟରେ କଂଗ୍ରେସ ସହ ତାଙ୍କର ପ୍ରତିଦ୍ୱନ୍ଦୀତା ରହିଛି। ସୂଚନାଯୋଗ୍ୟ, ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁଲାଇ ୨୧ରେ ଘୋଷଣା କରାଯିବ।

Share