Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ ନେଇ ଚିନ୍ତା କରାଯାଇନି

ନୂଆଦିଲ୍ଲୀ, ୩୦ା୩: ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଂସଦକୁ ଯାଇ ଦଳୀୟ ଏମ୍‌ପିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଜେଡିର ରଣନୀତି ସମ୍ପର୍କରେ ନବୀନଙ୍କୁ ଗଣମାଧ୍ୟମ ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ ଯେ, ରାଷ୍ଟ୍ରପତି ନିର୍ବାଚନକୁ ଆହୁରି ବହୁ ସମୟ ଅଛି। ତେଣୁ ଏନେଇ ଦଳ ପକ୍ଷରୁ କୌଣସି ଚିନ୍ତା କରାଯାଇ ନାହିଁ। ବିଜେଡି ସବୁବେଳେ ରାଜ୍ୟର ବିକାଶକୁ ଗୁରୁତ୍ୱ ଦେଇ ଆସିଛି। ତେଣୁ ରାଜ୍ୟର ସ୍ବାର୍ଥ ପାଇଁ ଯାହା ଠିକ୍‌ ହେବ, ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ନବୀନ କହିଛନ୍ତି। ବିଶେଷ କରି ତୃତୀୟ ସାମ୍ମୁଖ୍ୟ ଗଠନ ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରସ୍ତାବ ଏପର୍ଯ୍ୟନ୍ତ ବିଜେଡିର ହସ୍ତଗତ ହୋଇନାହିଁ। ମିଳିବା ପରେ ସେ ସମ୍ପର୍କରେ ଚିନ୍ତା କରାଯିବ ବୋଲି ନବୀନ କହିଛନ୍ତି। ତାଙ୍କର ପ୍ରଧାନମନ୍ତ୍ରୀ କିମ୍ବା ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁ। ଏପରିକି ବିରୋଧୀ ବରିଷ୍ଠ ନେତାଙ୍କ ସହ ମଧ୍ୟ କୌଣସି ଆଲୋଚନା କରିବାର ଯୋଜନା ନାହିଁ ବୋଲି କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ମେଳିରେ ମିଶିବାର କୌଣସି ଯୋଜନା ରହିଛି କି ବୋଲି ଏକ ପ୍ରଶ୍ନର ଉତ୍ତରଦେଇ ନବୀନ କହିଛନ୍ତି ଯେ, ସେନେଇ କୌଣସି ଚିନ୍ତା କରାଯାଇ ନାହିଁ ।
ନବୀନ ପାର୍ଲାମେଣ୍ଟକୁ ଯିବା ସମୟରେ ଗେଟ୍‌ ନିକଟରେ ଦଳୀୟ ଏମ୍‌ପିମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ଦଳର ସଂସଦୀୟ କାର୍ଯ୍ୟାଳୟରେ ଦଳୀୟ ଏମ୍‌ପିଙ୍କ ସହ ରାଜ୍ୟର ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ନବୀନଙ୍କଏହି ଗସ୍ତ ସମୟରେ ତାଙ୍କୁ ବିଭିନ୍ନ ଦଳର ନେତାମାନେ ଭେଟିଥିଲେ। ବିଜେଡିର ଏବେ ରାଜ୍ୟ ସଭାରେ ୯ଜଣ ସଦସ୍ୟ ଥିବାବେଳେ ଲୋକ ସଭାରେ ୧୧ଜଣ ରହିଛନ୍ତି। ସଂସଦରେ କୌଣସି ବିଲ୍‌ ପାସ୍‌ କିମ୍ବା ସାମ୍ବିଧାନିକ ପଦବୀ ପାଇଁ ନିର୍ବାଚନ ସମୟରେ ବିଜେଡି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିଶେଷକରି ଏହା ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସପକ୍ଷରେ ମତ ଦେଇ ଆସିଥିବା ନଜିର ରହିଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ନୂଆଦିଲ୍ଲୀରେ ପହଞ୍ଚତ୍ବାପରେ ଏକ କ୍ରୀଡ଼ା ସମ୍ମାନ ଉତ୍ସବରେ ଯୋଗ ଦେଇ ମହିଳା ହକି ଟିମ୍‌କୁ ପୁରସ୍କୃତ କରିଥିଲେ।

Share