୨୧ରେ ରାଷ୍ଟ୍ରପତିଙ୍କ ୨ଦିନିଆ ସମ୍ବଲପୁର ଗସ୍ତ

ସମ୍ବଲପୁର,୧୧ା୧୧(ବି.ଶଙ୍କର): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତା ୨୧ରେ ଦୁଇଦିନିଆ ସମ୍ବଲପୁର ଜିଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ୨୧ରେ ରାଷ୍ଟ୍ରପତି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ବୋଲି କୁଳପତି ପ୍ରଫେସର ବଂଶୀଧର ମାଝି ସୂଚିତ କରିଛନ୍ତି। ସେହିପରି ୨୨ରେ ରାଷ୍ଟ୍ରପତି ପଧାନପାଲି ଛକ ପାବନ ସରୋବରଠାରେ ବ୍ରହ୍ମାକୁମାରୀ ଶିକ୍ଷା ପ୍ରଭାଗ ଆୟୋଜିତ ନୂଆ ଭାରତ ପାଇଁ ନୂଆ ଶିକ୍ଷା ରାଷ୍ଟ୍ରୀୟ ଅଭିଯାନର ଶୁଭାରମ୍ଭ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପାବନ ସରୋବରଠାରେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ସମ୍ବଲପୁର ଦାନୀବନ୍ଧସ୍ଥିତ ବ୍ରହ୍ମାକୁମାରୀ ପଶ୍ଚିମ ଓଡ଼ିଶା ଉପକେନ୍ଦ୍ରରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆୟୋଜକମାନେ ଏହି ସୂଚନା ଦେଇଛନ୍ତି।
ସେମାନେ ଆହୁରି କହିଥିଲେ, ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଏଥିରେ ପଶ୍ଚିମ ଓଡ଼ିଶାରୁ ପ୍ରାୟ ୪ହଜାର ପ୍ରତିନିଧିଙ୍କ ସମାଗମ ହେବ। ଯେଉଁମାନେ ଯୋଗଦେବାକୁ ଚାହଁିବେ ସେମାନେ ୧୫ ତାରିଖ ସୁଦ୍ଧା ବ୍ରହ୍ମାକୁମାରୀ ସମ୍ବଲପୁରଙ୍କ ସହାୟତାରେ ପଞ୍ଜୀକରଣ କରିପାରିବେ। ପ୍ରତିନିଧିମାନେ ନିଜ ସାଥିରେ ଏଣ୍ଟ୍ରି କାର୍ଡ ଓ ଆଧାର କାର୍ଡ ଧରିବା ଅତ୍ୟନ୍ତ ଜରୁରୀ। ସାଙ୍ଗରେ ବ୍ୟାଗ୍‌, ପାଣି ବୋତଲ, ମୋବାଇଲ ଫୋନ୍‌ ନେବାକୁ ବାରଣ କରାଯାଇଛି। ପ୍ରତିନିଧିମାନଙ୍କ ସକାଶେ ବାଇକ୍‌, କାର୍‌, ବସ୍‌ ପାର୍କିଂ ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ସମାପ୍ତି ପରେ ପୂର୍ବାହ୍ନ ୧୦ରୁ ୧୧ ବ୍ରହ୍ମାକୁମାରୀ ଶିକ୍ଷା ପ୍ରଭାଗର ଅଧ୍ୟକ୍ଷ ବ୍ରହ୍ମାକୁମାର ଡ. ମୃତ୍ୟୁଞ୍ଜୟ ଓ ଉପାଧ୍ୟକ୍ଷା ବ୍ରହ୍ମାକୁମାରୀ ରାଜଯୋଗିନୀ ସିଲୁ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିବେ ବୋଲି କହିଛନ୍ତି ା ଖବରଦାତା ସମ୍ମିଳନୀରେ ସମ୍ବଲପୁରସ୍ଥିତ ପଶ୍ଚିମ ଓଡ଼ିଶାର ଉପକ୍ଷେତ୍ର ସଞ୍ଚାଳିକା ରାଜଯୋଗିନୀ ପାର୍ବତୀ, ବ୍ରହ୍ମାକୁମାର ନଥମଲ ଓ ବ୍ରହ୍ମାକୁମାରୀ ଦୀପା ଉପସ୍ଥିତ ଥିଲେ।

Share