ହୃଦ୍‌ଘାତରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ

ବଇଣ୍ଡା,୧୬ା୨(ଡି.ଏନ.ଏ.): ଅନୁଗୋଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ପାଇଁ ପ୍ରିଜାଇଡିଂ ଅଫିସର ନିଯୁକ୍ତ ହୋଇଥିବା ଜଣେ ଶିକ୍ଷକଙ୍କ ମଙ୍ଗଳବାର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ମୃତ ଶିକ୍ଷକ ହେଲେ କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ କୁମୁରସିଙ୍ଗା ଗ୍ରାମର ଶୁଭେନ୍ଦୁ ନାୟକ (୫୧)। କିଶୋରନଗର ପୋଲିସ ତାଙ୍କ ମୃତଦେହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜବତ କରି ବ୍ୟବଚ୍ଛେଦ ପାଇଁ ହଣ୍ଡପା ମେଡିକାଲ ପଠାଇ ଦେଇଛି। ଏ ସଂକ୍ରାନ୍ତରେ ଥାନାରେ ନମ୍ବର ୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୋଲିସ କହିଛି, ଶୁଭେନ୍ଦୁ କିଶୋରନଗର ବ୍ଲକ ରଜାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ବଅଁରପାଳ ଓ କଣିହଁ। ବ୍ଲକରେ ହେବାକୁ ଥିବା ଭୋଟ୍‌ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରିଜାଇଡିଂ ଅଫିସର ନିଯୁକ୍ତ କରାଯାଇଥିଲା। ମଙ୍ଗଳବାର ସେ କାର୍ଯ୍ୟରେ ଯୋଗଦେବାକୁ ପୁଅଙ୍କ ସହ ଏକ ଘରୋଇ ଗାଡିରେ ଆସୁଥିବାବେଳେ ବାଟରେ ଅସୁସ୍ଥ ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ଶିକ୍ଷକ ମହଲରେ ଶୋକର ଛାୟା ଖେଳାଇ ଦେଇଛି।

Share