ପାକିସ୍ତାନ ସାମ୍ବାଦିକଙ୍କୁ ଗିରଫ ପରେ ଆମେରିକାର ବୟାନ, ଗଣମାଧ୍ୟମ ସବୁବେଳେ ସ୍ବାଧୀନ ରହିବା ଉଚିତ୍‌

ଓ୍ବାଶିଂଟନ୍‌,୧୬।୬: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗିରଫରେ ତାଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଥିଲେ। ହିଂସାକାଣ୍ଡ କରିବା ସହ ସର୍ବସାଧାରଣଙ୍କ ସମ୍ପତ୍ତିକୁ ପୋଡିବା ସହ ଲୁଟ୍‌ କରିଥିଲେ। ଖାସ୍‌ କରି ମେ ୯ତାରିଖକୁ ଦେଶରେ ‘କଳାଦିନ’ ବୋଲି ଘୋଷଣା କରାଯାଇଥିଲା। ଏହି ବିରୋଧ ପ୍ରଦର୍ଶନକୁ ରିପୋର୍ଟ କରିବାକୁ ଯାଇ ବହୁ ସାମ୍ବାଦିକଙ୍କୁ ପାକିସ୍ତାନ ସରକାର ଦେଶଦ୍ରୋହ ଏବଂ ଆତଙ୍କବାଦ ମାମଲାର ଅଭିଯୋଗ ଆଣି ଗିରଫ କରିଥିଲେ।
ତେବେ ଏନେଇ ଆମେରିକାର ବୈଦେଶିକ ବିଭାଗର ସରକାରୀ ମୁଖପାତ୍ର ମାଥ୍ୟୁ ମିଲର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପାକିସ୍ତାନରେ ଘଟୁଥିବା ସମସ୍ତ ଘଟଣାକୁ ରିପୋର୍ଟ କରିବା ପାଇଁ ଖବରଦାତାଙ୍କୁ ଅନୁମତି ଦେବା ଉଚିତ୍‌। ସେମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ଆମେରିକା ଆଶା କରୁଛି। ଦେଶରେ ଗଣମାଧ୍ୟମ ମୁକ୍ତ ଏବଂ ନିରପେକ୍ଷ ରହିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ତେବ ଏକ ସୁସ୍ଥ ଗଣତନ୍ତ୍ରରେ ଭୋଟରମାନେ ଠିକ୍‌ ନିଷ୍ପତ୍ତି ନେଇପାରିବେ ପାଇଁ ସରକାରୀ କର୍ମାଚାରୀଙ୍କୁ ପ୍ରତିଟି କାର୍ଯ୍ୟରେ ଉତ୍ତରଦାୟୀ ସାବ୍ୟସ୍ତ କରିବା ଗଣମାଧ୍ୟମର କାର୍ଯ୍ୟ। ଯାହା ସେ ନିରପେକ୍ଷତାରେ ହିଁ ସମ୍ପାଦନା କରିପାରିବ ବୋଲି ସେ କହିଛନ୍ତି।

Share