Categories: ଜାତୀୟ

ପୁଣି ଶକ୍ତି ପ୍ରଦର୍ଶନ କଲେ ଚାଷୀ, ଦାବି ପୂରଣ ଲାଗି ସରକାରଙ୍କ ଉପରେ ଚାପ

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ କିଷାନ ଗର୍ଜନ ରାଲିରେ ୫୫ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇଥିଲେ। କୃଷି ସାମଗ୍ରୀ ଉପରୁ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ପ୍ରତ୍ୟାହାର ସମେତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବଢ଼ାଇବା ପାଇଁ ଚାଷୀ ଦାବି କରିଥିଲେ। ଆର୍‌ଏସ୍‌ଏସ୍‌ ସ୍ବୀକୃତିପ୍ରାପ୍ତ କୃଷକ ସଂଗଠନ ଭାରତୀୟ କିଷାନ ସଂଘ (ବିକେଏସ୍‌) ଡାକରାରେ କିଷାନ ଗର୍ଜନ ରାଲି ଆୟୋଜନ କରାଯାଇଥିଲା। ପୁଣିଥରେ ଚାଷୀ ସେମାନଙ୍କ ମିଳିତ ଶକ୍ତି ପ୍ରଦର୍ଶନ କରିଛନ୍ତି ଏବଂ ଦାବି ପୂରଣ ଲାଗି କେନ୍ଦ୍ର ସରକାରଙ୍କ ଉପରେ ଏହା ଚାପ ପକାଇବ ବୋଲି ଆଶା କରାଯାଉଛି। ଦିଲ୍ଲୀ ସୀମାରେ ଦୀର୍ଘ ୧୧ ମାସର ଚାଷୀ ଆନ୍ଦୋଳନ ପରେ କେନ୍ଦ୍ର ସରକାର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିଥିଲେ। ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଚାଷୀ ଆନ୍ଦୋଳନରୁ ଓହରିଥିଲେ। ଉକ୍ତ ପ୍ରତିଶ୍ରୁତି ସମ୍ପର୍କରେ କେନ୍ଦ୍ରକୁ ସ୍ମରଣ କରାଇଦେବା ଗର୍ଜନ ରାଲିର ଉଦ୍ଦେଶ୍ୟ।

Share