ଓ୍ବିଲମିଙ୍ଗଟନ୍, ୧୦।୧୧: ଆଗାମୀ ଜାନୁୟାରୀରେ ନୂଆ ପ୍ରଶାସନକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ଲାଗି ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଟିମ୍ ସହ ଏକାଠି କାର୍ଯ୍ୟ କରିବା ନିମନ୍ତେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ଚାପ ପଡୁଛି। ବାଇଡେନ୍ ରାଷ୍ଟ୍ରପତି ନିର୍ବାଚିତ ବୋଲି ଜେନେରାଲ ସର୍ଭିସେସ୍ ଆଡମିନିଷ୍ଟ୍ରେଶନ ଆନୁଷ୍ଠାନିକ ଭାବେ ଘୋଷଣା କରିବେ, ଯେଉଁଠୁ କ୍ଷମତା ହସ୍ତାନ୍ତର ପର୍ବ ଆରମ୍ଭ ହେବ। ତେବେ ଉକ୍ତ ସଂସ୍ଥାରେ ଟ୍ରମ୍ପ୍ଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ ଏମିଲି ମୁରଫି ଏପର୍ଯ୍ୟନ୍ତ ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ଏହା ସ୍ପଷ୍ଟ ହେଉ ନ ଥିବାରୁ ରାଷ୍ଟ୍ରପତି ଟ୍ରମ୍ପ୍ ସର୍ବସାଧାରଣରେ ବାଇଡେନ୍ଙ୍କ ବିଜୟକୁ ସ୍ବୀକୃତି ଦେବାକୁ ରାଜି ନ ଥିବା ନେଇ ପ୍ରଶ୍ନ ଉଠିଛି। କ୍ଷମତା ହସ୍ତାନ୍ତର ପାଇଁ ଥିବା ଉପଦେଷ୍ଟା ବୋର୍ଡ ଟ୍ରମ୍ପ୍ଙ୍କୁ ତୁରନ୍ତ ନିର୍ବାଚନ ପରବର୍ତ୍ତୀ ଟ୍ରାଞ୍ଜିଶନ ପ୍ରକ୍ରିୟା ଆରମ୍ଭ କରିବାକୁ ଆହ୍ବାନ ଦେଇଛି।