Categories: ଜାତୀୟ

ନାରାୟଣନଙ୍କୁ ଫସାଇବା ପାଇଁ ଚାପ ପକାଯାଇଥିଲା

ଥିରୁଭାନନ୍ତପୁରମ୍‌, ୧୮।୪: ଇସ୍ରୋର ୨୭ ବର୍ଷର ପୁରୁଣା ଗୁପ୍ତଚର ବୃତ୍ତି ମାମଲାରେ ଷଡ଼ଯନ୍ତ୍ର ହୋଇଥିଲା କି ନାହିଁ ତାହାର ସାନି ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଥିଲେ। ଏହାର ଦୁଇ ଦିନ ପରେ ମାଳଦ୍ୱୀପର ଜଣେ ମହିଳା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେତେବେଳେ ତାଙ୍କୁ ଇସ୍ରୋ ବୈଜ୍ଞାନିକଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଚାପ ପକାଯାଇଥିଲା। କେରଳ ପୋଲିସ ତାଙ୍କୁ ନିର୍ଯାତନା ଦେଇ ଇସ୍ରୋ ବୈଜ୍ଞାନିକ ଏସ୍‌. ନମ୍ବି ନାରାୟଣନଙ୍କ ନାଁ ନେବା ପାଇଁ ବାଧ୍ୟ କରିଥିଲା ବୋଲି ମହିଳା ଜଣକ କହିଛନ୍ତି। ୧୯୯୪ରେ ନାରାୟଣନଙ୍କ ବିରୋଧରେ ଗୁପ୍ତଚର ବୃତ୍ତିି ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସହ ଇସ୍ରୋର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ, ଦୁଇଜଣ ମାଳଦ୍ୱୀପ ମହିଳା ଓ ଜଣେ ବ୍ୟବସାୟୀ ମଧ୍ୟ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଏବେ ଶ୍ରୀଲଙ୍କାରେ ରହୁ୍‌ଥିବା ଫୌସିଆ ହାସନ ଏକ ଟିଭି ଚ୍ୟାନେଲକୁ କହିଛନ୍ତି, ସେ ନାରାୟଣନଙ୍କ ନାଁ ଶୁଣି ନ ଥିଲେ। ନାରାୟଣନଙ୍କ ବିରୋଧରେ ଅଭିଯୋଗ ନ ଆଣିଲେ କେରଳ ପୋଲିସ ଫୌସିଆଙ୍କ ଝିଅକୁ ଗିରଫ କରିବା ସହ ବଳାତ୍କାର କରିବ ବୋଲି ଧମକ ଦେଇଥିଲା। ଏହା ପରେ ସେ ନାରାୟଣନଙ୍କ ବିରୋଧରେ ଇସ୍ରୋର ଗୁପ୍ତ ତଥ୍ୟ ପ୍ରଦାନ ପାଇଁ ଉତ୍କୋଚ ନେଇଥିବା ଅଭିଯୋଗ ଆଣିଥିଲେ ବୋଲି ଫୌସିଆ କହିଛନ୍ତି।

 

Share