Categories: ଜାତୀୟ

ବିଫଳ ବୈବାହିକ ସମ୍ପର୍କରେ ସ୍ତ୍ରୀ ଅବା ସ୍ବାମୀଙ୍କୁ ରୋକି ରଖିବା ଏକ କ୍ରୁରତା, ହାଇକୋର୍ଟଙ୍କ ରାୟ…

କୋଚି,୧୭।୨ : କୌଣସି ବିଫଳ ବୈବାହିକ ସମ୍ପର୍କରେ ଜୋର୍‌ ଜବରଦସ୍ତ ଯଦି ସ୍ତ୍ରୀ କିମ୍ବା ସ୍ବାମୀଙ୍କୁ ବାନ୍ଧି ରଖାଯାଏ, ତେବେ ଏହା ଏକ ପ୍ରକାର କ୍ରୁରତା ଭାବେ ବିବେଚନା କରାଯିବ। ଏକ ଛାଡପତ୍ର ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି।

ଜଷ୍ଟିସ ଏ. ମହମ୍ମଦ ମୁସ୍ତାକ ଏବଂ ସୋଫି ଥୋମାସଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି କହିଛନ୍ତି ଯେ ଯଦି ବିବାହ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଏହାର ସୁଧାର ହୋଇପାରିବ ନାହିଁ। ତେବେ ସେହି ସମ୍ପର୍କରେ କେହି ନିଜ ଜୀବନସାଥୀଙ୍କୁ ବାଧ୍ୟ କରି ଦାମ୍ପତ୍ୟ ଜୀବନ ଜାରି ରଖିବାକୁ କହି ପାରିବେ ନାହିଁ। ସେ ସ୍ବାମୀ ହୁଅନ୍ତୁ କିମ୍ବା ସ୍ତ୍ରୀ ହୁଅନ୍ତୁ , ଏହା ଉଭୟଙ୍କ କ୍ଷେତ୍ରରେ ଲାଗୁ ହେବ। ଜଣଙ୍କ ଦ୍ୱାରା ଏପରି ବାଧ୍ୟବାଧକତା ଅନ୍ୟ ପୟତି କ୍ରୁରତା ହେବ।

ଖଣ୍ଡପୀଠ ବୀଣା ଏମ.ଏସ. ଏବଂ ତାଙ୍କ ସ୍ବାମୀ ଶିନୋଜି ବାବୁଙ୍କ ଆବେଦନକୁ ଖାରଜ କରିଛନ୍ତି। ଉଭୟେ ପରିବାର ଅଦାଲତଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ପରିବାର ଅଦାଲତ ଉଭୟଙ୍କ ଛାଡପତ୍ରକୁ ଅନୁମୋଦନ ଦେଇଥିବା ବେଳେ ସେମାନଙ୍କ ସନ୍ତାନର ସୁରକ୍ଷାକୁ ତାଙ୍କ ମା’ଙ୍କୁ ସବୁଦିନ ପାଇଁ ହସ୍ତାନ୍ତର କରିଥିଲେ। ଏହା ଉପରେ ବୀଣା ଛାଡପତ୍ର ମଞ୍ଜୁର ନିଷ୍ପତ୍ତି ଉପରେ ଚ୍ୟାଲେଞ୍ଜ କରିଥିଲେ। ଶିନୋଜି ବାବୁ ଶିଶୁଙ୍କ ସୁରକ୍ଷାକୁ ସବୁଦିନ ପାଇଁ ମା’ଙ୍କୁ ହସ୍ତାନ୍ତର କରିବା ନିଷ୍ପତ୍ତି ବିରୋଧରେ ଆବେଦନ କରିଥିଲେ। ତେବେ ପରିବାର ଅଦାଲତଙ୍କ ଉଭୟ ନିଷ୍ପତ୍ତିକୁ ହାଇକୋର୍ଟ କାଏମ୍‌ ରଖିଛନ୍ତି।

ହାଇକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ ୨୦୧୭ଠାରୁ ସ୍ତ୍ରୀ-ସ୍ବାମୀ ଅଲଗା ହୋଇ ରହୁଛନ୍ତି। ଉଭୟଙ୍କ ପକ୍ଷରୁ ବୈବାହିକ ସମ୍ପର୍କକୁ ବଞ୍ଚାଇବା ପାଇଁ କୌଣସି ବିଶେଷ ଉଦ୍ୟମ ମଧ୍ୟ କରା ଯାଇ ନ ଥିଲେ। ଏପରି ପରିସ୍ଥିତିରେ ପରିବାର ଅଦାଲତ ସେମାନଙ୍କ ଛାଡପତ୍ରକୁ ଅନୁମୋଦନ କରିବା ଉଚିତ ନିଷ୍ପତ୍ତି ଥିଲା।

ସେହିଭଳି ୫ ବର୍ଷର ଶିଶୁଙ୍କ ସୁରକ୍ଷାକୁ ମା’ଙ୍କୁ ହସ୍ତାନ୍ତର କରିବାର ନିଷ୍ପତ୍ତି ମଧ୍ୟ ଠିକ ଥିଲା। କାରଣ ପିଲାଟି ଜନ୍ମରୁ ତାଙ୍କ ମା ସହିତ ରହୁଛି। ଦ୍ୱିତୀୟରେ ତାଙ୍କ ପିତା ମଧ୍ୟ ତାଙ୍କ ପୃଷ୍ଠପୋଷକତାରେ ଅଧିକ ଆଗ୍ରହ କିମ୍ବା ଉତ୍ସାହ ଦେଖାଇ ନାହାଁନ୍ତି ।

ଖଣ୍ଡପୀଠ କହିଛନ୍ତି ଯେ ଏହି ଆବେଦନକୁ ଖାରଜ କରିବା ଅର୍ଥ ନୁହେଁ ଯେ ସ୍ବାମୀ ଶିଶୁର ସୁରକ୍ଷା କିମ୍ବା ତାଙ୍କ ସହ ସମ୍ପର୍କ ବଜାୟ ରଖିବା ପାଇଁ ଏକ ନୂତନ ଆବେଦନ କରିପାରିବେ ନାହିଁ। ସେ ଏ ବାବଦରେ ପରିବାର ଅଦାଲତରେ ଏକ ନୂତନ ଆବେଦନ କରିପାରିବେ।

Share