ଦର ବୃଦ୍ଧି ବନାମ ବିକାଶ

ଗୋପାଳ ଚନ୍ଦ୍ର ନାଥ

ଭାରତ ସ୍ବାଧୀନ ହେଲା ପରଠାରୁ ଦେଶର ସମ୍ବଳ ଓ ଦକ୍ଷତାକୁ ନେଇ ସରକାର ବିଭିନ୍ନ ପଦକ୍ଷେପ ଜରିଆରେ ବିକାଶ ପାଇଁ ଉଦ୍ୟମ କରିଆସୁଛନ୍ତି। ସ୍ବାଧୀନ ସମୟରେ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ସୀମିତ ଥିଲା। ଦେଶରେ ଦାରିଦ୍ର୍ୟ ଏକ ମହାମାରୀ ଭଳି କାୟା ବିସ୍ତାର କରି ରହିଥିଲା। ଅଧିକାଂଶ ଜନତା ଚାଷ ଉପରେ ନିର୍ଭର କରି ଚଳୁଥିବା ବେଳେ, ସମ୍ପୂର୍ଣ୍ଣ ରୂପେ ପ୍ରକୃତିକୁ ନିର୍ଭର କରି ଚାଷ କରୁଥିବା ଚାଷୀମାନେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ହୋଇ ଅଭାବ ଅନଟନରେ କାଳାତିପାତ କରୁଥିଲେ। ଚାଷ ଭିନ୍ନ ଅନ୍ୟ ପନ୍ଥା ନ ଥିବା ଏବଂ ସେହି ଚାଷ ଉପରେ ନିର୍ଭର କରି ଅଧିକାଂଶ ଜନତା ଚଳୁଥିବା ହେତୁ ଦେଶରେ ବହୁମାତ୍ରାରେ ଖାଦ୍ୟାଭାବ ମଧ୍ୟ ଦେଖାଦେଇଥିଲା। ସ୍ବାଧୀନ ଭାରତର ସରକାର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରି ଲୋକଙ୍କ ଅଭିବୃଦ୍ଧିରେ ସହାୟକ ହେଲେ। ଫଳରେ ଦେଶରେ ଗୋଟିଏ ପରେ ଗୋଟିଏ ଶିଳ୍ପ କାରଖାନାର ପରିକଳ୍ପନା କରାଯାଇ ଲୋକମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଗଲା। କୃଷିର ଉନ୍ନତି ପାଇଁ ଇଂରେଜ ସରକାର ଭାରତବର୍ଷରେ ଅଧିକ ଶସ୍ୟ ଉପତ୍ାଦନ ଲାଗି ଏକ ସ୍ବତନ୍ତ୍ର ବିଭାଗ ଗଠନ କରି ଅଧିକ ଅମଳ ପାଇଁ ଚେଷ୍ଟା କରିଥିଲେ। ହେଲେ ଆମ ଦେଶରେ ଜଳସେଚନ ଓ ଆଧୁନିକ ପ୍ରଣାଳୀର ଚାଷ ପାଇଁ ଚାଷୀ ପାଖରେ ସେଭଳି କୌଣସି ବ୍ୟବସ୍ଥା ନ ଥିବା ହେତୁ କ୍ରମେ ସେ ବିଭାଗର ଗୁରୁତ୍ୱ ହ୍ରାସ ପାଇଥିଲା। ସ୍ବାଧୀନତା ପ୍ରାପ୍ତି ପରେ ବହୁ ଜଳସେଚନ ପ୍ରକଳ୍ପ ଆରମ୍ଭ ହେଲା। ଜୈବସାର ସାଙ୍ଗକୁ ରାସାୟନିକ ସାର ବ୍ୟବହାର ପାଇଁ ଚାଷୀକୁ ପ୍ରବର୍ତ୍ତାଇବା ସହ ଚାଷର ଆବଶ୍ୟକତାକୁ ପୂରଣ କରିବା ପାଇଁ ରାସାୟନିକ ସାର କାରଖାନା ମଧ୍ୟ ସ୍ଥାପନ କରାଗଲା। ଏହାଦ୍ୱାରା ସରକାର ବହୁଳ ଭାବରେ ସୁଲଭ ଦରରେ ଚାଷୀକୁ ସାର ଯୋଗାଇ ପାରିଲେ। ଚାଷୀ ବିଭିନ୍ନ ଯୋଜନାକୁ ଠିକ୍‌ ଭାବେ ଜାଣି ଚାଷରେ ଉପଯୁକ୍ତ ଭାବରେ ଉପଯୋଗ କରିବାରେ ସକ୍ଷମ ହେଲା। ଯୋଜନାଗୁଡ଼ିକ ମଧ୍ୟ ଚାଷୀଙ୍କ ପାଇଁ ଏକ ବଡ଼ ଭୂମିକା ନେଲା। କେବଳ ଚାଷ ନୁହେଁ ଶିକ୍ଷାକୁ ସାର୍ବଜନୀନ କରି ସମସ୍ତଙ୍କୁ ଶିକ୍ଷିତ କରିବା ପାଇଁ ସରକାର ପଦକ୍ଷେପ ନେଲେ।
କିନ୍ତୁ ଏ ସମସ୍ତ ବାଦ୍‌ ଦେଶରେ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇବା କେତେକାଂଶରେ ସମ୍ଭବ ହେଲା। ଲୋକେ ପ୍ରକୃତିର କ୍ରୂର ପରିହାସରେ ଅନାହାର ଦୁର୍ଭିକ୍ଷ ଭଳି କଷ୍ଟରେ ବଞ୍ଚତ୍ବାର ସଂଗ୍ରାମ କଲେ। କ୍ରମେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବହୁ କଳକାରଖାନା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକଙ୍କୁ ଆତ୍ମନିର୍ଭର କରିବାର ରାସ୍ତା ଦେଖାଇଲା। ଆଜି ଯେଉଁ ପ୍ରଗତିଶୀଳ ଭାରତ ଆମେ ଉପଭୋଗ କରୁଛେ, ତା’ ସେହି ପରିଶ୍ରମର ଅଂଶବିଶେଷ। ଲୋକ ଶିକ୍ଷିତ ହେଲେ, କଳକାରଖାନାରେ ଓ ବିଭିନ୍ନ ସଂସ୍ଥାରେ କାମ କରି ଭଲ ରୋଜଗାର କଲେ। ତଥାପି ଚାଷର ଯେଉଁଭଳି ଭାବେ ବିକାଶ ହେବା କଥା, ତା’ ହୋଇପାରିଲା ନାହିଁ। ଜଳସେଚନର ଯେଭଳି ବିକାଶ ହେବା କଥା ତା’ ଆଦୌ କରାଗଲା ନାହିଁ। ଲୋକଙ୍କୁ ବିକାଶର ନୂଆ ନୂଆ ଦିଶା ଦେଖାଇବା ପରିବର୍ତ୍ତେ ରାଜନୈତିକ ଫାଇଦା ପାଇବା ପାଇଁ ଚାଷକୁ ଗୌଣ କରିଦେଇ ସେମାନଙ୍କୁ ମାଗଣା ଚାଉଳ, ଡାଲି, ଜୋତା, ଛତା ଆଦି ଯୋଗାଇ ଦିଆଗଲା। ଛୁଆଟିଏ ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାକୁ କିଛି କିଛି ମାଗଣା ପାଇବା ପାଇଁ ବ୍ୟବସ୍ଥା କରାଗଲା। ଯେତେବେଳେ ଚାଷୀ ମାଗଣା ପାଇବାର ସ୍ବାଦ ଚାଖିଲା ଓ ମରୁଡ଼ି, ଅନାହାରରୁ ନିଜକୁ ବଞ୍ଚାଇ ପାରିଲା, ସେ ସରକାରଙ୍କ ନାମ ଗାନ କରିବାକୁ ଲାଗିଲା। ଚାଷକୁ ଆଉ ଗୁରୁତ୍ୱ ଦେଲା ନାହିଁ। ବର୍ତ୍ତମାନ ଯେଉଁମାନେ ଚାଷ କରିବାକୁ ମନ ବଳାଉଛନ୍ତି, ସେମାନଙ୍କୁ ଚାଷ କରିବା ପାଇଁ ଶ୍ରମିକ ମିଳୁନାହାନ୍ତି। ସରକାରଙ୍କ ଅପରିଣାମଦର୍ଶୀ କାର୍ଯ୍ୟକ୍ରମ ଦେଶର ଚାଷୀମାନଙ୍କ ପେଟକୁ ନାତ ମାରୁଛି। ଚାଷୀ ତା’ର ଉପତ୍ାଦ ଦ୍ରବ୍ୟକୁ ଠିକ୍‌ ଭାବେ ବଜାର କରିପାରୁନାହିଁ କି ଉଚିତ ପ୍ରାପ୍ୟ ମଧ୍ୟ ପାଇ ପାରୁ ନାହିଁ। ଜଗତୀକରଣ ଦେଶକୁ ବିକାଶର ଏକ ସୋପାନରେ ପହଞ୍ଚାଇ ଦେଇଥିବା ବେଳେ ଚାଷୀ ଆଜିବି ମଧ୍ୟସ୍ଥିମାନଙ୍କ କବଳରେ କବଳିତ। ସରକାର କୃଷିନୀତିକୁ ନେଇ ଆନ୍ଦୋଳନରତ ଚାଷୀମାନଙ୍କ କଥାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଚାଷର ଉନ୍ନତି ନ ହେବା ଯାଏ, ଉପତ୍ାଦନର ବୃଦ୍ଧି ନ ହେବା ଯାଏ, ଦେଶର ଅର୍ଥନୀତିରେ ବିକାଶ ହେବ ନାହିଁ କି ସାଧାରଣ ଜନତାର ବିକାଶ ହେବ ନାହିଁ। ଚାଷୀର ମୁଣ୍ଡପିଛା ଆୟର ହିସାବ ସ୍ବତନ୍ତ୍ର ଭାବରେ ହିସାବ ନ କରି ଦେଶର ସରକାରୀ ଚାକିରିଆ, କଳକାରଖାନାରେ କାମ କରୁଥିବା ଲୋକଙ୍କ ସହ ହିସାବ କରାଯାଉଛି। ସରକାର ପୁଞ୍ଜିପତିର ରୋଜଗାର ଚାଷୀ ରୋଜଗାର ସହ ମିଶାଇ ବାହାବା ନେଇ ଦେଶ ଆଗେଇଛି ବୋଲି କହୁଛନ୍ତି। ବାସ୍ତବ ଚିତ୍ର କ’ଣ? ଚାଷୀ ଆଜି ନିଜ ଚାଷ ଜମିକୁ ପଡ଼ିଆ ପକାଇ କୌଣସି କଳ କାରଖାନାରେ ଶ୍ରମିକ ଭାବେ କାମ କରୁଛି ତ ନ ହେଲେ ବାହାରକୁ ଯାଇ ଦାଦନ ଖଟୁଛି। ଚାଷରୁ ଏକ ନିର୍ଦ୍ଦିଷ୍ଟ ରୋଜଗାର ପାଇ ପାରୁ ନ ଥିବା ବେଳେ କେଉଁଠି ଶ୍ରମିକ ଭାବେ କାମ କଲେ ବେଳବୁଡ଼କୁ ନିର୍ଦ୍ଦିଷ୍ଟ ଭାବେ କିଛି ଟଙ୍କା ପାଇପାରୁଛି, ନିଜ ଗୁଜୁରାଣ ମେଣ୍ଟାଇବା ସହ ପରିବାରର ଆବଶ୍ୟକତା ପୂରଣ କରିପାରୁଛି।
ଆଲୋଚନା ମଧ୍ୟରେ ଏକ ମୁଖ୍ୟ ପ୍ରସଙ୍ଗ ହେଲା ଦରବୃଦ୍ଧି। ଆଜି ପ୍ରତ୍ୟେକ ଲୋକଙ୍କୁ ବାଧୁଛି ଦର ବୃଦ୍ଧି, କି ଧନୀ କି ଗରିବ, କି କଂଗ୍ରେସ କି ଭାଜପା। କିଏ କହି ପାରୁଛି, ଆଉ କିଏ ଘର କୋଣରେ ବସି କାନ୍ଦୁଛି, ଫରକ ଏତିକି। ଦରବୃଦ୍ଧି ହେଲେ ଦେଶର ବିକାଶ ହେବ ବୋଲି ଯେଉଁ ଅର୍ଥବିଶାରଦମାନେ ଭାବୁଛନ୍ତି, ତା’ କେବଳ କାହାକୁ ତୋଷାମଦ କରୁଥିବା ପରି ଜଣାଯାଏ। ଦେଶ ସ୍ବାଧୀନ କାଳରୁ ବା ତା’ର ବହୁ ଆଗରୁ କେତେକ ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ନେଇ ସେସବୁର ଦରକୁ କଦାପି ବଢିବାକୁ ଦେଇ ନ ଥାଆନ୍ତି। ଫଳରେ ତାହା ଦେଶର ଅନ୍ୟ ଉପତ୍ାଦ ସାମଗ୍ରୀ ଉପରେ ପ୍ରଭାବ ପକାଇ ନ ଥାଏ। କିନ୍ତୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ଦର ପ୍ରଭାବିତ ହେଲା ଭଳି କୌଣସି ପଦକ୍ଷେପ ନେବାକୁ କୌଣସି ସରକାର ସାହସ କରନ୍ତି ନାହିଁ। କାରଣଏହା ଦ୍ୱାରା ସାଧାରଣ ଜନତା ଉପରେ ତା’ର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିଥାଏ।
ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ଡିଜେଲ ହିଁ ପ୍ରତ୍ୟେକ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏସବୁ ବିନା ଚାଷଠାରୁ ଗମନାଗମନ ସହ ପରିବହନ କୌଣସି କାର୍ଯ୍ୟ ସମାହିତ ହୋଇପାରିବ ନାହିଁ। ତୈଳ ଦର ଯେଭଳି ଭାବରେ ବଢ଼ୁଛି, ସରକାର ସେହି ହାରରେ ଚାଷୀମାନଙ୍କର ଉପତ୍ାଦ ସାମଗ୍ରୀର ଦର ବଢ଼ାଇ ନାହାନ୍ତି। ଯଦି ଚାଷୀ ଉପତ୍ାଦ ସାମଗ୍ରୀର ଦର ନିର୍ଦ୍ଧାରଣ କରିବ, ତେବେ ସେହି ଦର ନିଶ୍ଚିତପକ୍ଷେ ଗ୍ରହଣୀୟ ହେବ ନାହିଁ। ଚାଷୀ ଯେତେବେଳେ ତା’ର ଉଚିତ ମୂଲ୍ୟ ନ ପାଇବ, ତେବେ ଚାଷ କାହିଁକି କରିବ! ଏ ସମସ୍ତ କଥାକୁ ସାମଗ୍ରିକ ଭାବରେ ଆଲୋଚନା କରିବାକୁ ହେଲେ ସରକାର ଦରକୁ ଯେକୌଣସି ପ୍ରକାରେ ସ୍ଥିର ରଖିବା ଆବଶ୍ୟକ। ନଚେତ୍‌ ଦେଶର ସମସ୍ତ ସାମଗ୍ରୀର ଦର ବୃଦ୍ଧି ହେବ।
କିଛି ଲୋକଙ୍କର ମତ ଯେ ଦେଶକୁ ବିକାଶ ଦିଗରେ ନେବାକୁ ହେଲେ ସରକାରଙ୍କର ଅର୍ଥର ଆବଶ୍ୟକତା ରହିଛି, ସେ ଅର୍ଥ ସରକାର ଆଣିବେ କେଉଁଠୁ? ଏହା କୌଣସି ପ୍ରକାରେ ଉଚିତ ଉତ୍ତର ହୋଇ ନ ପାରେ। ଦେଶର ବିକାଶର ଧାରାକୁ ଚଳାଇବାକୁ ହେଲେ ସରକାର କୌଣସି ନା କୌଣସି ନୂତନ ପନ୍ଥା ବାହାର କରିବା ଆବଶ୍ୟକ। ଦେଶରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇକରଣ ନାଅଁାରେ ଯେଭଳି ଭାବରେ ଶାଗମାଛ ଦରରେ ପୁଞ୍ଜିପତି ହାତକୁ ଟେକି ଦିଆଯାଉଛି, ତଦ୍ଦ୍ବାରା ଦେଶର ବିକାଶ ହେବା ପରିବର୍ତ୍ତେ ଦେଶରେ ବେକାରି ଓ ଶୋଷଣ ବହୁମାତ୍ରାରେ ବଢ଼ିବ। ସରକାର ଯେତେବେଳେ ମଙ୍ଗଳକାରୀ ଶାସନ ଦିଅନ୍ତି, ସେତେବେଳେ ଲୋକ ଆନନ୍ଦରେ କାଳାତିପାତ କରନ୍ତି। ଏହାସହ ସରକାର ଜନାଦୃତ ହୋଇଥାଏ। କିନ୍ତୁ ସରକାର ଯେଭଳି ଭାବରେ ତୈଳ ଉପରେ ଉପତ୍ାଦ ଶୁଳ୍କ ନେଉଛନ୍ତି, ତା’ ଜନମଙ୍ଗଳ ପରିବର୍ତ୍ତେ ଜନବିରୋଧୀ ହୋଇଛି। ରାଜ୍ୟ ସରକାର ଭାଟ୍‌ ଅଧିକ ନେଉଥିବା ମଧ୍ୟ ଆଲୋଚନା ହେଉଛି। ହେଲେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ତାଗିଦା କରିବା ପୂର୍ବରୁ ଉପତ୍ାଦ ଶୁଳ୍କ ଯଦି ୟୁପିଏ ସରକାର ସମୟର ନିଅନ୍ତେ, ତେବେ ରାଜ୍ୟ ସରକାର ଅନୁରୂପ ଭାବରେ ଭାଟ କମ୍‌ କରିବାକୁ ବାଧ୍ୟ ହୁଅନ୍ତେ। ପେଟ୍ରୋଲ ଓ ଡିଜେଲ ଦରର ସ୍ଥିରତା ଆସିଲେ ଅନ୍ୟ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ଦର ମଧ୍ୟ ସ୍ଥିର ହୁଅନ୍ତା। ଏଣୁ ଏ କଥା ସତ୍ୟ, ଦେଶର ବିକାଶ ଭଲ ଭାବରେ ହୋଇପାରନ୍ତା, ଯଦି ଦରରେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥିରତା ରଖନ୍ତେ।
ଅନୁଗୋଳ, ମୋ: ୯୪୩୭୨୯୦୬୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାଉଁଶରେ ସାଇକେଲ ତିଆରି ହେବା ଓ ରାସ୍ତାରେ ଗଡ଼ିବା ନିଶ୍ଚିତ ଭାବେ ଏକ ଅଜବ ଘଟଣା ଭଳି ଲାଗୁଥିଲେ ମଧ୍ୟ ଏଭଳି ସାଇକେଲ ଚଢ଼ିବାକୁ ପାଇବେ।...

ଆମ ପାଇଁ ବହି କାହିଁ

କିଛିଦିନ ତଳେ ଭୁବନେଶ୍ୱରର ଏକ ଦୃଷ୍ଟିହୀନ ପିଲାଙ୍କ ବିଦ୍ୟାଳୟରେ ସମୟ ବିତେଇବାର ସୁଯୋଗ ପାଇଥିଲି। ବହୁତ ଖୁସି ଲାଗିଲା ଯେ ସେମାନେ ସେଠାରେ ରହି ଖେଳୁଛନ୍ତି,...

ନିଯୁକ୍ତି ବୃଦ୍ଧି ଆବଶ୍ୟକ

ଆମେ ସର୍ବଦା ଲେଖିଆସିଛୁ ଯେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମତୁଲ ଓ ଇନ୍‌କ୍ଲୁସିଭ ବା ଅନ୍ତର୍ଭୁକ୍ତ ହେବା ଉଚିତ। ଏହାର ସୁଫଳ ସର୍ବଦା ଗରିବ ଓ...

ଚିନ୍ତାଶୀଳ ବ୍ୟକ୍ତିତ୍ୱ

ମନମୋହନ ସିଂଙ୍କ ଜୀବନ କ’ଣ ଥିଲା ସେ ବିଷୟରେ ଅନେକ ଲେଖା ପ୍ରକାଶ ପାଇଛି ଏବଂ ଆଗକୁ ବି ଲେଖାଯିବ। କିନ୍ତୁ ସେ ଯାହା ନ...

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା...

ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ...

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri