ନୂଆଦିଲ୍ଲୀ,୨୩।୧୧: କୃଷିଜାତ ଶଷ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଗ୍ୟାରେଣ୍ଟି ଆଇନ ଆସିଲେ ଭାରତୀୟ ଅର୍ଥନୀତି ନିଶ୍ଚିତ ଭାବେ ପ୍ରଭାବିତ ହେବ। ଏଭଳି କହିଛନ୍ତି କୃଷି ଆଇନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ସଦସ୍ୟ ଅନିଲ ଘାନଓ୍ବତ।
୩ ବିବାଦୀୟ କୃଷି ଆଇନ ଉଚ୍ଛେଦ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ମଧ୍ୟ ଜାରି ରହିଛି ଚାଷୀ ଆନ୍ଦୋଳନ। ଏବେ ଆନ୍ଦୋଳନରେ ସକ୍ରିୟ ଥିବା ଚାଷୀ ସଂଗଠନ ଏମ୍ଏସ୍ପି ଗ୍ୟାରେଣ୍ଟି ପାଇଁ ଅଢ଼ି ବସିଛନ୍ତି।
ଏମ୍ଏସ୍ପି ଉପରେ ଆଇନ ଆସିଲେ ଆମକୁ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବ। କେବଳ ବ୍ୟବସାୟୀଙ୍କୁ ପ୍ରଭାବିତ ହେବେ, ତା ନୁହେଁ ବରଂ ଷ୍ଟକ ରଖାଯାଉଥିବା ବ୍ୟବସ୍ଥା ଓ ଏହା ସହିତ ଜଡ଼ିତ ପ୍ରତ୍ୟେକଙ୍କୁ କ୍ଷତି ସହିବାକୁ ପଡ଼ିବ। କେବଳ ଏତିକି ନୁହେଁ ଏହା ପୂରା ଦ୍ରବ୍ୟ ବଜାରକୁ ଅସନ୍ତୁଳିତ କରି ରଖିଦେବ। ଏଣୁ କେନ୍ଦ୍ର ସରକାର ଏବଂ ଚାଷୀ ନେତାଙ୍କୁ ଆଲୋଚନା ମାଧ୍ୟମରେ ଅନ୍ୟ କିଛି ଉପାୟ ଦେଖିବାକୁ କହିଛନ୍ତି ଶେତକାରୀ ସଂଗଠନ ସଭାପତି ଘାନଓ୍ବାତ।