ଦାମ୍‌ ବଢ଼ିଲା, ଚାହିଦା କମିଲା, ୧୫ ଦିନରେ ୧୦ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ, ୧୬।୪ : ଦେଶରେ ପେଟ୍ରୋଲ ଡିଜେଲ ଦାମ୍‌ରେ ଲଗାତାର ବୃଦ୍ଧି ଜାରି ରହିଛି। ଦାମ୍‌ ବଢ଼ିବା ଯୋଗୁ ଗତ ୧୫ ଦିନ ମଧ୍ୟରେ ଦେଶରେ ଇନ୍ଧନ ଚାହିଦା କମିବାରେ ଲାଗିଛି। ଶନିବାର ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ପେଟ୍ରୋଲ୍‌ ଚାହିଦା ୧୦ ପ୍ରତିଶତ କମିଥିବାବେଳେ ଡିଜେଲ ଚାହିଦା ୧୫.୬ ପ୍ରତିଶତ, ଏଲ୍‌ପିଜିର ଚାହିଦା ୧.୭ ପ୍ରତିଶତ ଏବଂ ଏଟିଏଫ୍‌ ଚାହିଦାରେ ୨୦.୫ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି।

୨୨ ମାର୍ଚ୍ଚଠାରୁ ଆରମ୍ଭ ହୋଇଥିବା ଇନ୍ଧନ ଦାମ୍‌ ବୃଦ୍ଧି ଯୋଗୁ ଲୋକେ ହଇରାଣ ହେବା ସହିତ ଚାହିଦା ହ୍ରାସ ପାଇଛି।

ଇତିମଧ୍ୟରେ ୨୨ ମାର୍ଚ୍ଚ ପରେ ଇନ୍ଧନ ଦାମ୍‌ରେ ୧୭ ଦିନରେ ୧୪ ଥର ବୃଦ୍ଧି ହୋଇଥିଲା। ୬ ଏପ୍ରିଲ ସୁଦ୍ଧା ଦାମ୍‌ରେ ଲିଟର ପିଛା ୧୦ ଟଙ୍କା ବୃଦ୍ଧ ଘଟିଥିଲା। ସେହିପରି ଏଲ୍‌ପିଜି ସିଲିଣ୍ଡର ଦାମ୍‌ ମାର୍ଚ୍ଚ ୨୨ରେ ହିଁ ୫୦ ଟଙ୍କା ବଢ଼ିଥିଲା। ଫଳରେ ୧୪.୨ କିଲୋଗ୍ରାମ୍‌ ସିଲିଣ୍ଡର ଦାମ୍‌ ୯୪୯.୫୦ ଟଙ୍କା ଛୁଇଁଥିଲା।

ବିମାନ ଇନ୍ଧନ ଏଟିଏଫ୍‌ର ଦାମ୍‌ରେ ୦.୨ ପ୍ରତିଶତ ବୃଦ୍ଧି ଘଟି ଏହା ରେକର୍ଡସ୍ତରରେ ପହଞ୍ଚିଛି। ଏହାର ଦାମ୍‌ କିଲୋଲିଟର ପିଛା ୧,୧୩,୨୦୨.୩୩ ଟଙ୍କାରେ ପହଞ୍ଚିଛି।

Share