ଜାମୁକୋଳି ଦର ଆକାଶଛୁଆଁ

ବ୍ରହ୍ମପୁର,୧୯।୬(ତନୁଶ୍ରୀ ନାହାକ): ବ୍ରହ୍ମପୁର ବଜାରରେ ବର୍ତ୍ତମାନ ଜାମୁକୋଳିର ଯଥେଷ୍ଟ ଚାହିଦା ରହିଛି। ଦର ମଧ୍ୟ ଆକାଶଛୁଆଁ ହୋଇଛି। ଜାମୁକୋଳି ଖାଇବା ଦ୍ୱାରା ହିମଗ୍ଲୋବିନ ବୃଦ୍ଧି ହୋଇଥାଏ, ହୃଦୟରେ ରକ୍ତ ସଂଚାଳନ ଠିକ ହୋଇଥାଏ, ମେଦବହୁଳ ରୋଗୀଙ୍କ ନିମନ୍ତେ ମଧ୍ୟ ଜାମୁକୋଳି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଜାମୁକୋଳି ଖାଇଲେ ଦୃଷ୍ଟି ଶକ୍ତି ବୃଦ୍ଧି ହେବା ସହ ଚର୍ମକୁ ସତେଜ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଜାମୁକୋଳିି ସରବତ ମଧ୍ୟ ବଜାରରେ ଅଧିକା ଦରରେ ବିକ୍ରି ହେଉଛି। ସହରର ବିଜିପୁର, ଗିରିରୋଡ଼, କମାପଲ୍ଳୀ, ଖଲିକୋଟ କଲେଜ ଛକ, ବଡ଼ବଜାର ଅଞ୍ଚଳରେ ଠେଲାଗାଡ଼ିରେ ବ୍ୟବସାୟୀମାନେ ପ୍ରାୟ ସପ୍ତାହେ ହେବ ଜାମୁକୋଳି ବିକ୍ରି ଆରମ୍ଭ କରିଛନ୍ତି। ପୂର୍ବରୁ କେଜିପ୍ରତି ଦର ମାତ୍ର ୫୦ରୁ ୬୦ଟଙ୍କା ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ଦୁଇଗୁଣା ବୃଦ୍ଧି ପାଇଛି। ବିଜିପୁର ଅଞ୍ଚଳରେ ଠେଲା ଗାଡ଼ିରେ ବ୍ରିକି କରୁଥିବା ଜଣେ ବ୍ୟବସାୟୀ କୁହନ୍ତି ସେ ଦୈନିକ ପ୍ରାୟ ୪୦ରୁ ୫୦ କେଜି ଜାମୁ କୋଳି ବିକ୍ରି କରୁଛନ୍ତି। ପ୍ରଥମ ଦିନ ଜାମୁକୋଳିର ଦର ୨୨୦ଟଙ୍କା ରହିଥିଲା। ସହରକୁ ଅଧିକା ଆମଦାନୀ ହେବାରୁ ବର୍ତ୍ତମାନ ଦର ହ୍ରାସ ପାଇ ୧୨୦ରେ ପହଞ୍ଚିଛି। ବ୍ରହ୍ମପୁର ବଜାରକୁ ଏହି କୋଳି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା ଏବଂ ଆନ୍ଧ୍ରର ବିଜୟୱାଡ଼ା ଅଞ୍ଚଳରୁ ଆସୁଛି।