Categories: ଜାତୀୟ

୮୪ ଔଷଧର ମୂଲ୍ୟ ନିର୍ଦ୍ଧାରଣ, ଦାମ୍‌ ବଢ଼ାଇପାରିବେ ନାହିଁ କମ୍ପାନୀ …

ନୂଆଦିଲ୍ଲୀ, ୪।୭ : ଡାଇବେଟିସ୍‌, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ଆଦି ଚିକିତ୍ସାରେ ବ୍ୟବହୃତ ୮୪ ଔଷଧର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ଏହା କରାଯାଇଛି। ଏହା ସହିତ ଉଚ୍ଚ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲାଇସେରାଇଡ ସ୍ତରକୁ ହ୍ରାସ କରିବା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ମଧ୍ୟ ସ୍ଥିର ହୋଇଛି। ଏହାଦ୍ୱାରା ଏଣିକି ଔଷଧ କମ୍ପାନୀଗୁଡ଼ିକ ଏସବୁ ଔଷଧର ନିଜ ଇଛା ଅନୁସାରେ ଆଉ ଦାମ୍‌ ବୃଦ୍ଧି କରି ପାରିବେ ନାହିଁ।

ଡ୍ରଗ୍ସ ମୂଲ୍ୟ ନିୟନ୍ତ୍ରଣ ଆଦେଶ-୨୦୧୩ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରି, ଏନପିପିଏ ଔ ଷଧର ଖୁଚୁରା ମୂଲ୍ୟ ସ୍ଥିର କରିଛି ବୋଲି ନିୟାମକ ଏକ ବିଜ୍ଞପ୍ତିରେ କହିଛନ୍ତି। ଏହା ଦ୍ୱାରା ଡାଇବେଟିସ ଔଷଧ ମେଟଫର୍ମିନ ହାଇଡ୍ରୋକ୍ଲୋରାଇଡର ଗୋଟିଏ ଟାବଲେଟର ମୂଲ୍ୟ ଏବେ ଜିଏସଟିକୁ ଛାଡ଼ି ୧୦.୪୭ ଟଙ୍କା ହେବ।

ସେହିଭଳି ପାରାସିଟାମୋଲ ଏବଂ କ୍ୟାଫେନର ମୂଲ୍ୟ ଟାବଲେଟ ପିଛା ୨.୮୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ଗୋଟିଏ ରୋଜୁଭାଷ୍ଟାଟିନ ଆସ୍ପିରିନ ଏବଂ କ୍ଲୋପିଡୋଗ୍ରେଲ କ୍ୟାପସୁଲର ମୂଲ୍ୟ ୧୩.୯୧ ଟଙ୍କା ସ୍ଥିର କରାଯାଇଛି। ଏସବୁ ଔଷଧ ସାଧାରଣତଃ ଅଧିକ ବ୍ୟବହୃତ ହୋଇଥାଏ। ଏନପିପିଏ ବିଜ୍ଞପ୍ତିରେ କୁହାଯାଇଛି ଯେ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକ ସ୍ଥିର ମୂଲ୍ୟକୁ କଡାକଡି ପାଳନ କରିବା ଆବଶ୍ୟକ। ଏହାର ଉଲ୍ଲଂଘନ କଲେ ସେମାନଙ୍କ ଉପରେ ସୁଧ ସହିତ ଜରିମାନା ମଧ୍ୟ ଲଗାଯିବ।

ଏସବୁ ଔଷଧଗୁଡ଼ିକ ମଧ୍ୟରେ ଟାଇପ-୨ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଏବଂ ଗ୍ୟାଷ୍ଟ୍ରୋ ସମ୍ବନ୍ଧୀୟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ, ହୃଦଘାତ ଓ ଷ୍ଟ୍ରୋକକୁ ରୋକିବା ଔଷଧ, ରକ୍ତରେ ଟ୍ରାଇଗ୍ଲାଇସରାଇଡ ସ୍ତରକୁ କମାଇବା ପାଇଁ ବ୍ୟବହୃତ ହେଉଥିବା ଔଷଧ ଆଦି ଅନ୍ତର୍ଭୁକ୍ତ ରହିଛି।

ଏକ ପୃଥକ ବିଜ୍ଞପ୍ତିରେ, ଏନପିପିଏ କହିଛି ଯେ ତରଳ ମେଡିକାଲ ଅମ୍ଳଜାନ ଏବଂ ଶ୍ୱାସକ୍ରିୟା ପାଇଁ ବ୍ୟବହୃତ ହୋଉଥିବା ଅମ୍ଳଜାନର ସଂଶୋଧିତ ମୂଲ୍ୟ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Share