ଓ୍ବାଗନର୍‌ ମୁଖ୍ୟ ପ୍ରିଗୋଜିନଙ୍କ ମିଳୁନି ପତ୍ତା, ଗାୟବ କରିଦେଲେ କି ପୁଟିନ!

ମସ୍କୋ,୭।୭: ଋଷର ବିଦ୍ରୋହୀ ଏବଂ ଗୃହଭେଦୀ ଓ୍ବାଗନର ଗୋଷ୍ଠୀର ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ପତ୍ତା ମିଳୁନି। ସେ କେବେଠୁ ବେଲାଋଷ ଛାଡି ସାରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବେଲଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ। ସେ କହିଛନ୍ତି, ପ୍ରିଗୋଜିନ ବେଲାଋଷରେ ନାହାନ୍ତି। ସେ ସେଣ୍ଟ ପିଟର୍ସବର୍ଗ କିମ୍ବା ମସ୍କୋରେ ଥିବେ। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ପ୍ରିଗୋଜିନଙ୍କ ଆଶ୍ଚର୍ଯ୍ୟଜନକ ଗାୟବର ରହସ୍ୟ କେହି ବି ଜାଣି ନାହାନ୍ତି। ତାଙ୍କ ନିଖୋଜର ରହସ୍ୟ ପୁଟିନ୍‌ଙ୍କ ଆଡକୁ ଆଙ୍ଗୁଠି ଇସାରା କରୁଛି।

ସୂଚନାମୁତାବକ, ଲୁକାଶେଙ୍କୋଙ୍କ ଅନୁଯାୟୀ ୱାଗନର୍‌ ଗୋଷ୍ଠୀ ବେଲାଋଷକୁ ସ୍ଥାନାନ୍ତରିତ କରିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଫ୍ଲାଇଟ୍‌ ଟ୍ରାକିଂ ତଥ୍ୟ ଅନୁଯାୟୀ ବୁଧବାର ଦିନ ପ୍ରିଗୋଜିନ ଏକ ବ୍ୟବସାୟିକ ବିମାନ ଦ୍ୱାରା ସେଣ୍ଟ ପିଟର୍ସବର୍ଗରୁ ମସ୍କୋ ଅଭିମୁଖେ ଯାତ୍ରା କରିଥିଲେ। ଗୁରୁବାର ବିମାନ ଦକ୍ଷିଣ ରୁଷିଆକୁ ଚାଲିଯାଇଥିଲା। ତେବେ ପ୍ରିଗୋଜିନ ବିମାନରେ ଥିଲେ କି ନଥିଲେ ତାହା ଜଣା ପଡି ନାହିଁ।
ଋଷର ଷ୍ଟେଟ ଟିଭି ମଧ୍ୟ ଏହି ସମୟରେ ଏକ ଭିଡିଓ ପ୍ରସାରଣ କରିଥିଲା ଯେଉଁଥିରେ ଋଷର ଅଧିକାରୀମାନେ ସେଣ୍ଟ ପିଟର୍ସବର୍ଗର ୱାଗନର୍‌ ମୁଖ୍ୟାଳୟ ଏବଂ ପ୍ରିଗୋଜିନଙ୍କ ଘରେ ଖୋଜାଖୋଜି କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ପ୍ରିଗୋଜିନଙ୍କ କାର୍ଯ୍ୟାଳୟରେ ବଣ୍ଡଲ ବଣ୍ଡଲ ରୁବେଲ ଏବଠ ଡଲାର ବାକ୍ସରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ପ୍ରିଗୋଜିନଙ୍କ ବଙ୍ଗଳାରେ ଏକ ହେଲିକପ୍ଟର, ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା। କିନ୍ତୁ ପ୍ରିଗୋଜିନଙ୍କ ରହସ୍ୟମୟ ଭାବେ ନିଖୋଜ ହେବା ସନ୍ଦେହଘେରରେ ରହିଛି।

Share