ଶ୍ରେଣୀଗୃହ ଛାତ-କାନ୍ଥ ଫାଟି ଆଁ, ଗଛ ତଳେ ପିଲାଏ ପଢୁଛନ୍ତି ପାଠ

ଦାମନଯୋଡି,୧୬ା୧୧(ନରସିଂହବ୍ରହ୍ମା): କୋରାପୁଟ ଜିଲା ସେମିଳିଗୁଡା ବ୍ଲକ ଚାରାଙ୍ଗୁଳ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଗୁଡା ଗ୍ରାମରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସେହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଛାତ ଏବଂ କାନ୍ଥ ଭାଙ୍ଗି ଆଁ କରି ରହିଛି। କେତେବେଳେ ଯେ ଏହି ଶ୍ରେଣୀଗୃହ ଭୁଶୁଡି ପଡ଼ିବ ତାହା ଏବେ ଚିନ୍ତାର ବିଷୟ ହୋଇଛି। ଏହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ରହିଛି । ୨୫ ଜଣ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବାକୁ ରହିଛନ୍ତି ତିନି ଜଣ ଶିକ୍ଷକ। ଶ୍ରେଣୀଗୃହ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଛାତ୍ରୀଛାତ୍ରମାନେ ଗଛ ତଳେ ପାଠ ପଢ଼ୁଛନ୍ତି। ବର୍ଷା ହେଲେ ନାହିଁ ନ ଥିବା ଅସୁବିଧା ହେଉଛି। ସେ ସମୟରେ ପିଲାମାନେ ବିଭିନ୍ନ ଲୋକଙ୍କ ଘର ପିଣ୍ଡାରେ ବସି ପାଠ ପଢୁଥିବା ଦେଖିବାକୁ ମିଳୁଛି। ସରକାରଙ୍କ ୫-ଟି ଅଧୀନରେ ବିଭିନ୍ନ ସ୍କୁଲ ମରାମତି ସାଙ୍ଗକୁ ନୂତନ କୋଠା ନିର୍ମାଣ କରାଯାଉଥିବା ବେଳେ କୁମ୍ଭାରଗୁଡା ସ୍କୁଲ ସରକାରଙ୍କ ନଜର ଆଢ଼ୁଆଳରେ ରହିଯାଇଛି। ସ୍କୁଲ ଘର ମରାମତି ପାଇଁ ବହୁବାର ଗ୍ରାମବାସୀ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିନାହିଁ। ଗୁମାଲଗୁଡା ସ୍କୁଲକୁ ସରକାର ସମ୍ପୂର୍ଣ୍ଣ ବନ୍ଦକରି ଦେଇ କୁମ୍ଭାରଗୁଡା ସ୍କୁଲ ସହ ମିଶାଇ ଦେଇଛନ୍ତି। ଏହି ବିଦ୍ୟାଳୟରେ ପିଲାଙ୍କ ପାଇଁ କୋଣସି ସୁବିଧା ନାହିଁ। ଟଏଲେଟ, ପାଣି, ପିଲାଙ୍କ ଖେଳିବା ନେଇ ସୁବିଧା କିଛି ନାହିଁ । ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Share