ଖୋଲିପାରେ ପ୍ରାଥମିକ ସ୍କୁଲ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ରାଜ୍ୟରେ ପ୍ରାଥମିକ ଶ୍ରେଣୀ ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଅଫ୍‌ଲାଇନ ଶିକ୍ଷାଦାନ ଆରମ୍ଭ କରିବା ପାଇଁ କୁହାଯିବ। ଏ ନେଇ ବୁଧବାର ଓଏସ୍‌ସିପିସିଆର୍‌ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି।

ଶିଶୁମାନଙ୍କୁ ସୁରକ୍ଷା ବଳୟ ଭିତରେ ରଖିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର(ଏସ୍‌ଓପି) ଆଣିବାକୁ ସୁପାରିଶ କରାଯିବ। ଏନେଇ ମଙ୍ଗଳବାର ସବୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର, ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ କମିଶନଙ୍କ ଆଲୋଚନା ହୋଇଛି। ଶିଶୁମାନେ ଦୀର୍ଘ ଦିନ ହେଲା ଘରେ ରହି ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଏହା ଶିଶୁଙ୍କ ଶାରୀରିକ ବିକାଶରେ ମଧ୍ୟ ବାଧକ ହେବ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି। ତେଣୁ ଅଗ୍ରାଧିକାର ଭିତ୍ତିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ପରାମର୍ଶ ଦିଆଯିବ। ଦିନେ ଛଡ଼ା ଦିନେ ବା ଅଡ଼-ଇଭିନ ଫର୍ମୁଲା ବ୍ୟବହାର କରି ସ୍କୁଲ ଖୋଲିହେବ। ଏ ନେଇ ଖୁବଶୀଘ୍ର ସରକାରଙ୍କୁ ସୁପାରିଶ କରାଯିବ ବୋଲି ଓଏସ୍‌ସିପିସିଆର୍‌ ଅଧ୍ୟକ୍ଷା କହିଛନ୍ତି।

Share