୫ ଦଫା ଦାବି ନେଇ ରାସ୍ତାରେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର,୩୦।୮(ଅନୁରାଧା ମହାରଣା):  ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ୫ଦଫା ଦାବି ନେଇ ସୋମବାର ରାଜରାସ୍ତାକୁ ଓହ୍ଲାଇଛି। ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ସହସ୍ରାଧିକ ଶିକ୍ଷକ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦରମା ବୃଦ୍ଧି ସହ ବିଭିନ୍ନ କାରଣରୁ ବାଦ୍‌ ପଡ଼ିଥିବା ୩୦ ହଜାର ଗଣଶିକ୍ଷକଙ୍କୁ ନିୟମିତ କରାଯିବା ଆଦି ୫ଟି ଦାବି ଉପସ୍ଥାପନ କରାଯାଇଛି।
ଇଜିଏସ୍‌ ଯୋଜନା ବନ୍ଦ ହେବା ପରେ ଛଟେଇ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ରାଜ୍ୟ ସରକାର ୨୦୦୮ ମସିହାରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷକ ଭାବେ ନିୟୋଜିତ କରିଥିଲେ। ପରବର୍ତ୍ତୀ ସମୟରେ ଗଣଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁମାନେ ୮ବର୍ଷ ପୂରଣ କରିଥିଲେ, ସେମାନେ ନିୟମିତ ଶିକ୍ଷକ ହେଲେ। ମାତ୍ର ବିଭିନ୍ନ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ଗଣଶିକ୍ଷକ ନିୟମିତ ହେବାରୁ ବାଦ୍‌ ପଡ଼ିଛନ୍ତି। ଗଣଶିକ୍ଷକ ନିୟୋଜିତ ବର୍ଷ ୨୦୦୮ରୁ ୮ବର୍ଷ ଅବଧି ଗଣନା କରାଯାଇଥିବାରୁ ୨୦୧୨ ମସିହାରୁ ଓଡ଼ିଶାରେ ଲାଗୁ କରାଯାଇଥିବା ଓଟିଇଟି ସେମାନଙ୍କ ପାଇଁ ଆବଶ୍ୟକ ନାହିଁ ବୋଲି ସଭାପତି ନାୟକ କହିଛନ୍ତି। ଏଣୁ ଓଟିଇଟି ଉଚ୍ଛେଦ କରି ଯୋଗ୍ୟ ଗଣଶିକ୍ଷକଙ୍କୁ ନିୟମିତ କରିବା ସହ ଅବଶିଷ୍ଟ ଗଣଶିକ୍ଷକମାନଙ୍କ ଦରମା ବୃଦ୍ଧି କରାଯିବାକୁ ସେ ଦାବି କରିଛନ୍ତି। ସେହିପରି ଡେପୁଟେଶନ ବାତିଲ କରି ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ, ଟ୍ରେଜେରି ମାଧ୍ୟମରେ ଦରମା ପ୍ରଦାନ, ପୁରୁଣା ପେନ୍‌ସନ ବ୍ୟବସ୍ଥା (ଓପିଏସ୍‌) ଲାଗୁ, ମୃତ ଗଣଶିକ୍ଷକମାନଙ୍କୁ ଏକ୍ସ-ଗ୍ରାସିଆ ପ୍ରଦାନ କରିବା ପ୍ରଭୃତି ଦାବି ଉପସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମାଧାନ ନ କରିବା ପର୍ଯ୍ୟନ୍ତ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ ପ୍ରକାଶ କରିଛନ୍ତି।

Share