ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଉକ୍ତ ବ୍ଲକର ୨୫ ପଞ୍ଚାୟତର ଶତାଧିକ ବିଭିନ୍ନ ବର୍ଗର ଶିକ୍ଷକ ବିଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ ଫେରାଦ ହେବା ସହ ଦାବି ପୂରଣ ପାଇଁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହେଲେ ରାଜ୍ୟ ସରକାର ତାଙ୍କର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଫଳରେ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନକୁ ବାଧ୍ୟ ହୋଇ ବନ୍ଦ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନିକୁ ଓହ୍ଲାଇଛନ୍ତି। ସେମାନଙ୍କ ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ରାଜ୍ୟରେ ସରକାର ସମସ୍ତ ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ନିୟମିତ କରିବା ସହ ଶିକ୍ଷକର୍ମୀ ଓ ଶିକ୍ଷା ସହାୟକମାନଙ୍କ ଠିକା କାର୍ଯ୍ୟକାଳକୁ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ସହ ମୂଳ ଚାକିରିରେ ଗଣନା କରିବା ସହ ଗଣଶିକ୍ଷକ, ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବା ସହ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ଦେବା ନୂତନ ପେନ୍‌ସନ୍‌ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ଦାବି କରିଛନ୍ତ। ଏହି ଗଣଧାରଣାରେ ଦାରିଙ୍ଗବାଡ଼ି ଶିକ୍ଷକ ସଂଘର ସଭାପତି ଯାମିନୀକାନ୍ତ ପଡ୍ରା,ସମ୍ପାଦକ ସଂଗ୍ରାମ କୁମାର ନାୟକ,ଉପସଭାପତି ଚାରୁଶିଲା ମଳିକ,ସହ ସମ୍ପାଦକ ନୀନ ଚନ୍ଦ୍ର ସାହୁ, ରମାକାନ୍ତ ଦିଗାଲ,ରମେଶ ପ୍ରଧାନ, ମୋହନ ସାହୁ, ଏକ୍ସ କ୍ୟାଡର ସଂଘ ସଭାପତି ଆଶୁତୋଷ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତ। ସୋମବାରଠାରୁ ଆନ୍ଦୋଳନ ତୀବ୍ରତାର ହେବ ବୋଲି ଶିକ୍ଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

Share