ସାମୂହିକ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ରାଜ୍ୟର ପ୍ରାଥମିକ ଶିକ୍ଷକ ୨ ଦଫା ଦାବି ନେଇ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇବା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରିନାହାନନ୍ତି। ତେଣୁ ଶିକ୍ଷକମାନେ ସାମୂହିକ ଛୁଟିନେଇ ଆନ୍ଦୋଳନକୁ ଓହ୍ଳାଇବେ ବୋଲି ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲିବା ମାତ୍ରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ। ଏଥିପାଇଁ ୧୭ ତାରିଖରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଏନ୍‌ପିଏସ୍‌ ବର୍ଗର ସିଆର୍‌ସିସିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ଆବଶ୍ୟକ ସ୍ଥଳେ ବ୍ଲକ ଓ ଜିଲା ସ୍ତରରେ ଆନ୍ଦୋଳନକୁ ତୀବ୍ରତର କରାଯାଇ ଶିକ୍ଷକମାନେ ସାମୂହିକ ଛୁଟିରେ ରହି ଆନ୍ଦୋଳନ ଜାରି ରଖିବେ ବୋଲି ମଞ୍ଚର ଆବାହକ ମଳୟ କୁମାର ଜେନା ସୂଚନା ଦେଇଛନ୍ତି। ଦରମାରେ ୨୮୦୦ ଗ୍ରେଡ୍‌ ପେ’ ପ୍ରଦାନ ସହ ଠିକା ଅବଧିର ୬ ବର୍ଷକୁ ମୂଳ ଚାକିରିରେ ଗଣନା ଓ ୬ଟି ନୋଶନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ ଦାବି ନେଇ ମଞ୍ଚ ପକ୍ଷରୁ ୧୯ଦିନ ଧରି ସ୍ଥାନୀୟ ଲୋୟର ପିଏମଜିରେ ଧାରଣା ଦିଆଯାଇଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବଙ୍କ ସମେତ ଅନ୍ୟ ପଦାଧିକାରୀଙ୍କୁ ମଞ୍ଚ ପକ୍ଷରୁ ଦାବିପତ୍ର ଦିଆଯିବା ସହିତ ଆଲୋଚନା ମଧ୍ୟ କରାଯାଇଛି । ମାତ୍ର ଦାବି ପୂରଣ ହୋଇନଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।

Share