Categories: ଜାତୀୟ

ଗଣବଳାତ୍କାର ଅଭିଯୁକ୍ତଙ୍କୁ ଗୁଳି କଲା ପୋଲିସ

ବେଙ୍ଗାଲୁରୁ,୨।୬ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ବାଂଲାଦେଶୀ ମହିଳାଙ୍କୁ ଗଣବଳାତ୍କାର ଓ ନିର୍ଯାତନା ମାମଲାର ଆଉ ଜଣେ ଅଭିଯୁକ୍ତ ପୋଲିସ ଗୁଳିରେ ଆହତ ହୋଇଛନ୍ତି। ଗିରଫ ଭୟରେ ପୋଲିସ କର୍ମୀଙ୍କୁ ଆକ୍ରମଣ କରି ଫେରାର ହେବାକୁ ଉଦ୍ୟମ କରିଥିବାବେଳେ ପୋଲିସକୁ ଗୁଳି ଚଳାଇବାକୁ ପଡ଼ିଥିଲା।

ଦୁଇ ଦିନ ପୂର୍ବରୁ ଏହି ଗଣବଳାତ୍କାର ମାମଲାର ଦୁଇ ଜଣ ଅଭିଯୁକ୍ତ ଖସିବାକୁ ଉଦ୍ୟମ କରି ପୋଲିସ ଗୁଳିରେ ଆହତ ହୋଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ୧୦ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଟିପ୍‌ ଅଫ୍‌ ପାଇବା ପରେ ବୁଧବାର ସକାଳେ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶାହବାଜଙ୍କୁ ଗିରଫ କରିବା ପାଇଁ ପହଞ୍ଚିଥିଲା ସିଟି ପୋଲିସ। ଘଟଣା ସ୍ଥଳରୁ ଖସିବା ପାଇଁ ଜଣେ ପୋଲିସ କର୍ମୀଙ୍କୁ ଛୁରା ମାଡ଼ କରିଥିଲା ଶାହାବାଜ। ପୋଲିସର ଜବାବୀ ଆକ୍ରମଣରେ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଘଟଣାରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

Share