Categories: ଜାତୀୟ

ଆସାମରେ ପ୍ରଧାନମନ୍ତ୍ରୀ,ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌-ସବ୍‌କା ବିକାଶ ସମ୍ଭବ…

ଗୁଆହାଟୀ, ୨୮।୪ : ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌,ସବ୍‌କା ବିକାଶ ସମ୍ଭବ ହୋଇପାରିଛି। ଆସାମର ଦିଫୁ ଠାରେ ଗୁରୁବାର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏଭଳି କହିଛନ୍ତିି।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ବି ଆଙ୍ଗ୍ଲୋଙ୍ଗର ମଞ୍ଜା ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ, ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ କୃଷି ମହାବିଦ୍ୟାଳୟ, ଅମ୍ପାନି ପଶ୍ଚିମ କାର୍ବି ଆଙ୍ଗଲଙ୍ଗ ସରକାରୀ କଲେଜ ସମେତ ବହୁ ଯୋଜନାର ଶିଳାନ୍ୟାସ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆସାମର ଲୋକେ ଗତ ଦଶନ୍ଧି ମଧ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ୨୦୧୪ପରେ, ଉତ୍ତର ପୂର୍ବର ସମସ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଲୋକମାନଙ୍କ ବିକାଶ ଧାରା ଜାରି ରହିଛି। କାର୍ବି ଆଙ୍ଗ୍ଲୋଙ୍ଗ କିମ୍ବା ଅନ୍ୟାନ୍ୟ ଆଦିବାସୀ ଅଞ୍ଚଳରେ ସରକାର ବିକାଶ ଏବଂ ବିଶ୍ୱାସର ନୀତି ଉପରେ କାର୍ଯ୍ୟ କରୁଛନ୍ତି।

ଆସାମର ସ୍ଥାୟୀ ଶାନ୍ତି ଏବଂ ଦ୍ରୁତ ବିକାଶ ପାଇଁ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା କାର୍ଯ୍ୟ ଆଜି ଦ୍ରୁତ ଗତିରେ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅସ୍ତ୍ରଶସ୍ତ୍ର ଛାଡି ରାଷ୍ଟ୍ର ନିର୍ମାଣ ପାଇଁ ଫେରି ଆସିଥିବା ସାଥୀମାନଙ୍କର ଥଇଥାନ କରିବା ପାଇଁ ଉତ୍ତମ କାର୍ଯ୍ୟ ମଧ୍ୟ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ କେବଳ କୌଣସି କୋଠାର ମୂଳଦୁଆ ନୁହେଁ। ଏହା ଏଠାକାର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୂଳଦୁଆ। ବର୍ତ୍ତମାନ ଏଠାରେ ଉଚ୍ଚଶିକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା ସହିତ ଗରିବ ଶ୍ରେଣୀର ଲୋକମାନେ ମଧ୍ୟ ନିଜ ପିଲାମାନଙ୍କୁ ଉନ୍ନତ ଶିକ୍ଷା ଦେଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share