ଆସନ୍ତାକାଲି ଚଣ୍ଡିଖୋଲ ଆସିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ମିନିଟ୍ ରୁ ମିନିଟ୍ କାର୍ଯ୍ୟକ୍ରମ ବିବରଣୀ

ଭୁବନେଶ୍ୱର,୪ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟରେ ୧୯ ହଜାର ୬୦୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌‌ଘାଟନ କରିବେ। ଏହାପରେ ସେ ଏକ ସାଧାରଣ ସଭାକୁ ପ୍ରାୟ ୩୦ ମିନିଟ୍ରୁ ଅଧିକ ସମୟ ସମ୍ବୋଧନ କରିପାରନ୍ତି।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ୨ଟା ୪୦ ମିନିଟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର, ଭୁବନେଶ୍ୱରଠାରେ ପହଞ୍ଚିବେ। ପରେ ବାୟୁସେନାର ଏକ ଏମଆଇ-୧୭ ହେଲିକପ୍ଟର ଯୋଗେ ସେ ଚଣ୍ଡୀଖୋଲ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ୩ଟା ୩୦ ମିନିଟ୍ରୁ ୪ତା ମଧ୍ୟରେ ୧୯ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌‌ଘାଟନ କରିବେ। ଏହାପରେ ୪ଟା ୩୦ ମିନିଟ୍ରୁ ୫ଟା ମଧ୍ୟରେ ସାଧାରଣ ସଭାକୁ ସମ୍ବୋଧନ କରିବେ। ଏହାପରେ ସନ୍ଧ୍ୟା ୫ଟା ସମୟରେ କୋଲକାତା ଅଭିମୁଖେ ବାହାରିବେ। ପ୍ରଧାନମନ୍ତ୍ରୀ ଗସ୍ତକୁ ଦୃଷ୍ଟିରେ ରଖି ବିମାନବନ୍ଦର ଏବଂ ଚଣ୍ଡୀଖୋଲର ବେଣାପୁର ଠାରେ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଏବଂ ଉଦ୍‌‌ଘାଟନ କରିବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ତୈଳ ଏବଂ ଗ୍ୟାସ୍‌‌, ରେଳବାଇ, ରାସ୍ତା, ପରିବହନ ଏବଂ ଆଣବିକ ଶକ୍ତି କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ରହିଛି। ସେହିପରି ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ପାରାଦ୍ୱୀପ ବିଶୋଧାନାଗାରରେ ନିର୍ମିତ ଭାରତୀୟ ତୈଳ ନିଗମ-ଆଇ.ଓ.ସି.ଏଲ୍‌‌’ର ମନୋଇଥାଇଲିନ୍‌‌ ଗ୍ଲାଇକୋଲ୍‌‌ ପ୍ରକଳ୍ପର ଶୁଭାରମ୍ଭ କରିବେ।

ଏହି ପ୍ରକଳ୍ପ ଭାରତର ମନୋଇଥାଇଲିନ୍‌‌ ଗ୍ଲାଇକୋଲ୍‌‌ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସହାୟକ ହେବ। ଏଥିସହିତ ପାରାଦ୍ୱୀପରୁ ପଶ୍ଚିମବଙ୍ଗର ହଳଦିଆକୁ ସଂଯୋଗ ହୋଇଥିବା ୩୪୪ କିଲୋମିଟର ଲମ୍ବର ଏକ ପାଇପ୍‌‌ଲାଇନ୍‌‌ ପ୍ରକଳ୍ପର ଉଦ୍‌‌ଘାଟନ କରିବେ। ସେହିପରି ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୪୯ର ସିଙ୍ଗଡ଼ାରୁ ବିଞ୍ଜାବାହାଲ ସେକସନ୍‌‌ର ୪ ଲେନ୍‌‌ ରାସ୍ତା, ବିଞ୍ଜାବାହାଲରୁ ତିଲେଇବଣି ସେକସନ୍‌‌ର ୪ ଲେନ୍‌‌ ରାସ୍ତା, ୧୮ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର-ଝାରପୋଖରୀଆ ସେକସନ୍‌‌ର ୪ ଲେନ୍‌‌ ଏବଂ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ସେକସନ୍‌‌ର ୪ ଲେନ୍‌‌ ରାସ୍ତାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ଏଥିସହିତ ଚଣ୍ଡିଖୋଲ-ପାରାଦ୍ୱୀପ ସେକସନ୍‌‌ର ୮ ଲେନ୍‌‌ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ମଧ୍ୟ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର–ପାରାଦ୍ୱୀପ ରେଳମାର୍ଗରେ ପ୍ରଥମ ଯାତ୍ରୀବାହୀ ମେମୁ ଟ୍ରେନ୍‌‌ ଚଳାଚଳର ଶୁଭାରମ୍ଭ କରିବେ। ପ୍ରଥମଥର ପାରାଦ୍ୱୀପ–କେନ୍ଦୁଝରଗଡ଼ ମଧ୍ୟରେ ଏହି ଟ୍ରେନ୍‌‌ ଗଡ଼ିବ।

Share