Categories: ଜାତୀୟ

ପ୍ରଧାନମନ୍ତ୍ରୀ ପ୍ରଥମେ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ: ଖାର୍ଗେ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ମଣିପୁରରେ ୫୦ ଦିନରୁ ଊର୍ଦ୍ଧ୍ୱ ହେଲା ହିଂସାକାଣ୍ଡ ଲାଗିରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ପ୍ରଶ୍ନ ଉଠାଇଛନ୍ତି। ଯଦି ପ୍ରଧାନମନ୍ତ୍ରୀ ଉକ୍ତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପାଇଁ ବାସ୍ତବରେ ଚିନ୍ତିତ ଥାଆନ୍ତି, ତେବେ ପ୍ରଥମେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂଙ୍କୁ ବହିଷ୍କାର କରନ୍ତୁ ବୋଲି ଖାର୍ଗେ କହିଛନ୍ତି। ମଣିପୁର ସ୍ଥିତିକୁ ପରିଚାଳନା କରିବାରେ ସରକାର ବିଫଳ ହୋଇଛନ୍ତି। ଭାଜପା ସରକାରଙ୍କ କୌଣସି ପ୍ରଚାର ଉକ୍ତ ବିଫଳତାକୁ ଘୋଡ଼ାଇପାରିବ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ସ୍ଥିତି ସମ୍ପର୍କରେ ଅବଗତ କରାଇଥିବା ଖବର ପ୍ରକାଶ ପାଇଛି। ୫୫ ଦିନ ହେଲା ମୋଦି ମଣିପୁର ସମ୍ପର୍କରେ ଗୋଟିଏ ହେଲେ ଶବ୍ଦ କହିନାହାନ୍ତି। ପ୍ରତ୍ୟେକ ଭାରତୀୟ ତାଙ୍କ ଉତ୍ତରକୁ ଅପେକ୍ଷା କରିଥିବା ଖାର୍ଗେ କହିଛନ୍ତି।

Share