Categories: ଜାତୀୟ

ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ, ୧୪।୯ : ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହିନ୍ଦୀ ବିଶ୍ୱ ସ୍ତରରେ ଭାରତ ପାଇଁ ଏକ ବିଶେଷ ସମ୍ମାନ ଆଣିଛି ଏବଂ ଏହାର ସରଳତା ତଥା ସମ୍ବେଦନଶୀଳତା ସର୍ବଦା ଲୋକଙ୍କୁ ଆକର୍ଷିତ କରିଥାଏ। ଏହି ଭାଷାକୁ ସମୃଦ୍ଧ ତଥା ଶକ୍ତିଶାଳୀ ହେବା ପାଇଁ ନିରନ୍ତର ପରିଶ୍ରମ କରିଥିବା ଲୋକଙ୍କୁ ସେ ପ୍ରଶଂସା କରିଛନ୍ତି।

ହିନ୍ଦୀ ଦିବସ ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶକୁ ସମ୍ବୋଧିତ କରିଷ୍ଟ କହିଛନ୍ତି ଯେ ଦେଶର ଭାଷାଭିତ୍ତିକ ସମୃଦ୍ଧତାକୁ ଦୃଷ୍ଟିରେ ରଖି ସମ୍ବିଧାନର ନିର୍ମାତାମାନେ ଏକ ପୃଥକ ବ୍ୟବସ୍ଥା କରିଛନ୍ତି ଯେଉଁଥିରେ ପ୍ରାରମ୍ଭିକ ଭାବେ ୧୪ ଟି ଭାଷା ରଖାଯାଇଥିଲା। ବର୍ତ୍ତମାନ ଅଷ୍ଟମ ସୂଚୀରେ ୨୨ ଟି ଭାଷା ସ୍ଥାନୀତ ରହିଛି। ସମସ୍ତ ଭାରତୀୟ ଭାଷା ସହିତ ସମନ୍ବୟ ସ୍ଥାପନ କରି ହିନ୍ଦୀ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି । ଏହି କାରଣ ହେଉଛି ଯେ ସ୍ବାଧୀନତା ଆନ୍ଦୋଳନରେ ଅନେକ ସ୍ବାଧୀନତା ସଂଗ୍ରାମୀ ହିନ୍ଦୀକୁ ଯୋଗାଯୋଗ ଭାଷା ଭାବେ ବ୍ୟବହାର କରି ଆନ୍ଦୋଳନର ଗତି ବଢ଼ାଇବାକୁ ଚେଷ୍ଟା କରିଥିଲେ।

ଶାହା କହିଛନ୍ତି ଆଜି ଯେତେବେଳେ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏଭଳି ପରିସ୍ଥିତିରେ, ହିନ୍ଦୀ ସମ୍ବନ୍ଧରେ ସମ୍ବିଧାନ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଏକ ସାମୂହିକ ପ୍ରୟାସ ହେବା ଉଚିତ।

ଏହା ବ୍ୟତୀତ ଶାହା ହିନ୍ଦୀ ଦିବସ କାମନା କରି ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ସରକାରୀ ଭାଷା, ହିନ୍ଦୀ ଦେଶକୁ ଏକତାର ସୂତ୍ରରେ ଯୋଡିଛି। ହିନ୍ଦୀ ହେଉଛି ସମସ୍ତ ଭାରତୀୟ ଭାଷାର ବନ୍ଧୁ। ହିନ୍ଦୀ ସମେତ ସମସ୍ତ ସ୍ଥାନୀୟ ଭାଷାର ସମାନ୍ତରାଳ ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ।

Share