ଇସ୍ତଫା ଦେବିନି, ଶେଷ ବଲ୍‌ ଯାଏ ଲଢ଼ିବି: ଇମ୍ରାନ୍‌

ଇସ୍‌ଲାମାବାଦ, ୩୧ା୩: ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ସ୍ଥଗିତ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଗୁରୁବାର ସନ୍ଧ୍ୟାରେ ଦେଶକୁ ସମ୍ବୋଧନ କରିଛନ୍ତି। ଏହି ବାର୍ତ୍ତାରେ ଇମ୍ରାନ୍‌ ଇସ୍ତଫା ନ ଦେବା କଥା ସ୍ପଷ୍ଟ କରିଛନ୍ତି। ପରାଜୟ ସ୍ବୀକାର ନ କରି ଶେଷ ବଲ୍‌ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବେ ବୋଲି ସେ କହିଛନ୍ତି। ସମ୍ବୋଧନ ବାର୍ତ୍ତାରେ ଇମ୍ରାନ୍‌ କହିଛନ୍ତି, ‘ମୁଁ ରାଜନୀତିକୁ ଆସିଛି ଲୋକଙ୍କ ସେବା ପାଇଁ। ଭଗବାନଙ୍କ କୃପାରୁ ମୋ ପାଖରେ ଧନ, ସମ୍ମାନ, ଲୋକପ୍ରିୟତା ସବୁକିଛି ଅଛି। ଏବେ ମୁଁ କିଛି ଚାହେଁ ନାହିଁ। ପାକିସ୍ତାନ ମୋଠାରୁ ମାତ୍ର ୫ ବର୍ଷ ବଡ଼। ସ୍ବାଧୀନତା ପରେ ମୁଁ ଦେଶର ପ୍ରଥମ ପିଢ଼ିରୁ ଆସିଛି। ପିଲାବେଳେ ପାକିସ୍ତାନର ଉନ୍ନତି ଦେଖିଛି। ଆମ ବିକାଶ ପଥ ଅନୁସରଣ କରିବାକୁ ଦକ୍ଷିଣ କୋରିଆ ପାକିସ୍ତାନକୁ ଆସିଥିଲା। ମ୍ୟାଲେସିଆ ରାଜକୁମାର ମୋ ସହ ସ୍କୁଲରେ ପାଠ ପଢ଼ୁଥିଲେ। ମଧ୍ୟପ୍ରାଚ୍ୟ ଦେଶରୁ ପିଲାମାନେ ପାକ୍‌ ୟୁନିଭର୍ସିଟିକୁ ଆସୁଥିଲେ। କିନ୍ତୁ ଏବେ ସେ ସବୁ ନଷ୍ଟ ହୋଇଯାଇଛି। ମୋ ଦେଶ ଅପମାନିତ ହେଉଥିବା ମୁଁ ଦେଖିଛି। ଭାରତ ଓ ଆମେରିକାରେ ମୋର ଅନେକ ବନ୍ଧୁ ଅଛନ୍ତି। କାହା ପ୍ରତି ମୋର ଖରାପ ଭାବନା ନାହିଁ। କେବଳ ସେମାନଙ୍କ ପଲିସିକୁ ମୁଁ ନିନ୍ଦା କରେ। ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ପାକିସ୍ତାନର ବିଦେଶ ନୀତିକୁ ସ୍ବାଧୀନ ରଖିବାକୁ ନିଷ୍ପତ୍ତି ନେଇଥିଲି। ଆମ ନୀତି ଯେପରି କାହା ବିରୋଧରେ ନ ଯାଏ ତାହା ଉପରେ ମଧ୍ୟ ଗୁରୁତ୍ୱ ଦେଇଛି। କେବଳ କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ନିୟମ ଉଲ୍ଲଂଘନ ହେଲେ ହିଁ ଭାରତ ସହ ବିବାଦ ହୋଇଥାଏ ବୋଲି ଇମ୍ରାନ କହିଛନ୍ତି।

Share