Categories: ଜାତୀୟ

ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତିତ

ନୂଆଦିଲ୍ଲୀ,୨୪।୧୧: ଗତ ୧୩ ଦିନ ଧରି ଉତ୍ତରାଖଣ୍ଡରେ ଭୁଶୁଡ଼ିଥିବା ସିଲ୍‌କ୍ୟାରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତିତ ଅଛନ୍ତି। ଶୁକ୍ରବାର ସେ ପୁଣିଥରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଡାକି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଉପରେ ଅପଡେଟ୍‌ ନେଇଥିଲେ। ଏହା ସହିତ ଶ୍ରମିକମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ପରେ ସେମାନଙ୍କୁ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।
ସୂତ୍ରରୁ ପ୍ରକାଶ ଯେ, ସେ ପ୍ରତିଦିନ ପୁଷ୍କର ସିଂ ଧାମିଙ୍କୁ ଫୋନ କରୁଛନ୍ତି ଏବଂ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟ ଉପରେ ଅପଡେଟ୍‌ ନେଉଛନ୍ତି। ଆଜି ବାର୍ତ୍ତାଳାପ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
୧୧ ଦିନ ହେଲା ସୁଡ଼ଙ୍ଗରେ ଫସିଥିବା ଶ୍ରମିକମାନେ ସୁରକ୍ଷିତ ଥିବାବେଳେ ସେମାନଙ୍କ ପାଖକୁ ଆବଶ୍ୟକ ଅକ୍ସିଜେନ, ଖାଦ୍ୟ, ପାଣି, ପୋଷାକ ଓ ଔଷଧ ପଠାଯାଉଛି। ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ହୋଇଥିବାରୁ ଶ୍ରମିକମାନଙ୍କ ସହ କର୍ତ୍ତୃପକ୍ଷ ଏବଂ ସାଇକୋସୋସିଆଲ ଓ୍ବାର୍କରମାନେ ସେମାନଙ୍କ ସହ ସିଧାସଳଖ କଥା ହେବା ସହ ବିଭିନ୍ନ ପରାମର୍ଶ ଦେଇପାରୁଛନ୍ତି।

 

Share